Latest Odisha News

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ସହିଦ ପ୍ରତାପଙ୍କ ଶେଷକୃତ୍ୟ

ପୁରୀ: ଜୀବନ ଯୁଦ୍ଧରେ ହାରି ପଞ୍ଚଭୂତରେ ଲୀନ ହେଲେ ଗୋପ ବ୍ଲକର ପ୍ରଥମ ଓଡ଼ିଆ ପୁଅ ସହୀଦ ପ୍ରତାପ ପରିଡା । ମେଘାଳୟରେ ବିଏସଏଫ ହାବିଲଦାର ଭାବେ କାର୍ଯ୍ୟରତ ପ୍ରତାପ ଓରଫ ବଗୁଲି ଏକ ଖାଲରେ ପଡି ସହୀଦ ହୋଇଛନ୍ତି । ଗତକାଲି ପ୍ରତାପଙ୍କ ପାର୍ଥୀବ ଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ସକାଳୁ ଖୋର୍ଦ୍ଧା ସ୍ଥିତ ବିଏସଏଫ କ୍ୟାମ୍ପ ଓ ପରେ ଏକ ବିରାଟ ପଟୁଆରରେ ପ୍ରଥମେ ପିପିଲି, ପରେ ଗୋପ ବ୍ଲକ୍ ର ବଡତରା ପଞ୍ଚାୟତ ପରିକ୍ରମା କରି ଶେଷରେ ତାଙ୍କୁ ତାଙ୍କ ବାସଭବନକୁ ନିଆଯାଇଥିଲା । ଶୋଭାଯାତ୍ରାରେ ସାମିଲ ରହିଥିଲେ ତାଙ୍କର ହଜାରହଜାର ଶୁଭେଚ୍ଛୁଙ୍କ ସହ ପ୍ରଶଂସକ, ଗ୍ରାମବାସୀ ଓ ବିଭିନ୍ନ ବ୍ୟକ୍ତି ବିଶେଷ ।

ସେପଟେ ରାସ୍ତାରେ ମଧ୍ୟ ସ୍କୁଲର କୁନିକୁନି ପିଲାମାନେ ହାତରେ ଫୁଲ ଓ ତ୍ରୀରଙ୍ଗା ଧରି ତାଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ତାଙ୍କ ବାସଭବନକୁ ମରଶରୀର ନିଆଯିବା ପରେ ଶେଷ ଦର୍ଶନ କରିଥିଲେ ପରିବାର ଲୋକେ । ଏହାପରେ ଗାଁ ମଶାଣୀ ଅଭିମୁଖେ ବାହାରିଥିଲା ତାଙ୍କ ପାର୍ଥବ ଶରୀର । ଶୋକାକୂଳ ପରିବେଶରେ ବିଏସଏଫ ଯବାନଙ୍କ ତରଫରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ଓ ତୋପ ସଲାମୀ ଦିଆଯାଇଥିଲା । ପୁଅ ପ୍ରତୀକ ପରିଡା ଓ ପୁତୁରା ପ୍ରୀତମ ରଞ୍ଜନ ପରିଡା ମୁଖାଗ୍ନି ଦେଇଥିଲେ । ଏହାପରେ ସହୀଦ ପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସହୀଦ ପ୍ରତାପଙ୍କ ବିୟୋଗରେ ପରିବାର ଉପରେ ଚଡକ ପଡିଛି । ପତ୍ନୀ ରୋଗାକ୍ରାନ୍ତ ହୋଇଥିବା ବେଳେ, ପୁଅ ପ୍ରତୀକ ପଞ୍ଚମ ଶ୍ରେଣୀରେ ଓ ଝିଅ ପ୍ରତୀକ୍ଷା ଯୁକ୍ତ ଦୁଇରେ ପାଠ ପଢୁଛନ୍ତି । ଅନ୍ୟପଟେ ଅଭାବ ଅନଟନରେ ଚାଲୁଥିବା ସହିଦ ପ୍ରତାପଙ୍କ ପରିବାର ପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି ହୋଇଛି ।

ସହିଦଙ୍କ ଶେଷକୃତ୍ୟରେ ପ୍ରଶାସନିକ ଉଦାସୀନତାକୁ ଉଭୟ ବିଜେପି ଓ କଂଗ୍ରେସ ଦାୟୀ କରିଥିବା ବେଳେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ବିବାଦ ଦେଖାଦେଇଛି । ଯାହାକୁ କଡା ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡା । ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ୫-ଟି ଙ୍କ କାର୍ଯ୍ୟଧାରା ଓ ଅନ୍ତେଷ୍ଠି କ୍ରୀୟାରେ ସହୀଦଙ୍କ ପ୍ରତି ଅସମ୍ମାନକୁ ନେଇ ପ୍ରଶ୍ନ ଉଠିଛି ।

Comments are closed.