Latest Odisha News

BREAKING NEWS

ସରକାରୀ ଔଷଧ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ଗୋଦାମରେ ଥିବା ସବୁ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି। ସୂଚନାନୁସାରେ ମହିନ୍ଦ୍ରା ସୋ’ରୁମ ପଛ ସେକ୍ଟର-ଏ ରେ ଥିବା ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ ଗୋଦାମରେ ରାତି ପ୍ରାୟ ୧୧ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଗୋଦାମରେ ଗଚ୍ଛିତ ରହିଥିବା ବିପୁଳ କୋଭିଡ୍‌ ଔଷଧ ଓ କିଟ୍‌ ଜଳିପୋଡ଼ି ପାଉଁଶ ହୋଇଯାଇଛି।

ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚିଥିଲା। ନିଆଁ ଅଣାୟତ୍ତ ହେବା ଦେଖି ଘଟଣାସ୍ଥଳରେ ଛଅଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ଔଷଧ ଗୋଦାମରେ ଥିବା ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଭୟରେ ଉକ୍ତ ଅଞ୍ଚଳରେ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଥିଲା। କ୍ଷୟକ୍ଷତିର ଆକଳନ ହୋଇନଥିଲେ ବି କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି।

କେଉଁ କାରଣ ଯୋଗୁଁ ନିଆଁ ଲାଗିଲା ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା ବୋଲି ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଥମେ ଚାଉଳ ଗୋଦାମରେ ନିଆଁ ଲାଗିଛି ବୋଲି ପ୍ରଚାର ହୋଇଥିଲା। ମାତ୍ର ପରେ ଜଣାପଡ଼ିଲା ‌ଯେ କୋଭିଡ୍ ଔଷଧ, କିଟ୍ ଓ ଅକ୍ସିଜେନ୍ ସିଲିଣ୍ଡର୍ ଥିବା ଗୋଦାମ ଜଳୁଛି। ଏହି ମେଡିସିନ ଗୋଦାମରେ କୋଭିଡ ସମୟର ବଳକା ମେସିନ, ମାସ୍କ ଓ ସାନିଟାଇଜର ଥିଲା। ଯାହା ନିଆଁରେ ପୋଡି ପାଉଁଶ ହୋଇଯାଇଛି।

Comments are closed.