କଟକ: କଟକ ବୟାଳିଶ ମୌଜାରୁ ବନ୍ଧୁକ କାରଖାନା ଠାବ ଘଟଣା । ମାଷ୍ଟରମାଇଣ୍ଡ୍ ଚଗଲା ଖୁଣ୍ଟିଆକୁ ଗିରଫ କଲା ଏସଟିଏଫ୍ । କଟକ ଶଙ୍କରପୁର ଅଞ୍ଚଳରୁ ଧରାପଡ଼ିଲା କୁଖ୍ୟାତ ଚଗଲା ଖୁଣ୍ଟିଆ । ଚଗଲା ଖୁଣ୍ଟିଆ ବେପାରୀଙ୍କ ସହ ମିଶି ବିହାର, ଛତିଶଗଡ଼ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡକୁ ବନ୍ଧୁକ ସପ୍ଲାଏ କରୁଥିଲା । ପୂର୍ବରୁ ଲଟେରୀ କାରବାରରେ ଗିରଫ ହୋଇଥିବା ବେଳେ ଜେଲରେ ବନ୍ଧୁକ ମାଫିଆଙ୍କ ସଂପର୍କରେ ଆସିଥିଲା ଚଗଲା । ଏହାପରେ ବନ୍ଧୁକ ରାକେଟ ସହ ମିଶି ଥିଲା। ଏପରିକି ହ୍ବାଟସ ଆପରେ ବନ୍ଧୁକ ଡିଜାଇନ୍ ଓ ଅନ୍ୟ ତଥ୍ୟ ସେୟାର କରୁଥିଲା । ତେବେ ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି ଏସଟିଏଫ୍ ।
ସୂଚନା ଅନୁସାରେ, ଗତ ୧୩ ମାର୍ଚ୍ଚରେ କଟକ ବୟାଳିଶି ମୌଜାରୁ ବେଆଇନ ବନ୍ଧୁକ କାରଖାନା ଠାବ କରିଥିଲା କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଶହଶହ ବନ୍ଧୁକ ଓ ମାଗାଜିନ୍ ଜବତ ହୋଇଥିଲା । ଜଙ୍ଗଲ ଭିତରେ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା। ସ୍ଥାନୀୟ ସରୋଜ ଚନ୍ଦ୍ର ବେହେରାଙ୍କ ଘରେ ଏହି ବେଆଇନ ବନ୍ଧୁକ କାରଖାନା କରାଯାଇଥିଲା। ଦୀର୍ଘଦିନ ହେବ ଏହି ସ୍ଥାନରେ କାରଖାନା ଚାଲି ଆସୁଥିଲା । କୌଣସି ସୂତ୍ରରୁ ଖବର ପାଇ ଗତକାଲି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଘଟଣାସ୍ଥଳରେ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଥିଲା ।