Latest Odisha News

ଆକ୍ସନମୋଡରେ ମାୟାବତୀ: ବିଏସପିରୁ ବିଦା ହେଲେ ସାଂସଦ ଡାନିଶ ଅଲ୍ଲୀ

ଲକ୍ଷ୍ନୌ: ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଡାନିଶ ଅଲ୍ଲୀ ଦଳରୁ ନିଲମ୍ବିତ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବିଏସପି ମୁଖ୍ୟ ମାୟାବତୀ ନିଲମ୍ବିତ କରିଛନ୍ତି । ବହୁଜନ ସମାଜବାଦୀ ପାର୍ଟି ମହାସଚିବ ସତୀଶ ଚନ୍ଦ୍ର ମିଶ୍ରା ଏନେଇ ସୂଚନା ଦେଇଛନ୍ତି।ହେଲେ ନିର୍ଦ୍ଦିଷ୍ଟ କେଉଁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି ଦଳ ।

ଏକାଧିକ ମାମଲାରେ ଚର୍ଚ୍ଚାରେ ଅଛନ୍ତି ଡାନିଶ। ଏବେ ସେ ଉତ୍ତରପ୍ରଦେଶ ଅମରୋହାରୁ ସାଂସଦ ଅଛନ୍ତି । ବିଜେପି ସାଂସଦ ରମେଶ ବିଧୁରୀ ତାଙ୍କୁ ଦୁର୍ବ୍ୟବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ସାଂସଦ ବିଧୁରୀ ତାଙ୍କ ବିରୋଧରେ ‘ଆତଙ୍କବାଦୀ’ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ବହୁଚର୍ଚ୍ଚିତ କ୍ୟାସ ଫାର କ୍ବାରୀ ମାମଲାରେ ମଧ୍ୟ ସେ ତୃଣମୂଳ ସାଂସଦ ମହୁଆ ମୋଇତ୍ରାଙ୍କ ସମର୍ଥନରେ ରହି ଆସିଛନ୍ତି ।

ସେପ୍ଟେମ୍ବରରେ ସଂସଦରେ ୫ଦିନିଆ ସ୍ବତନ୍ତ୍ର ଅଧିବେଶନରେ ବିଜେପି ସାଂସଦ ରମେଶ ବିଧୁରୀ ସାଂସଦ ଡାନିଶ ଅଲ୍ଲୀଙ୍କ ପ୍ରତି ଆପତ୍ତିଜନକ ଶବ୍ଦ (ଆତଙ୍କବାଦୀ) ପ୍ରୟୋଗ କରିଥିଲେ । ଯାହାର ଏକ ଭିଡିଓ କ୍ଲିପ୍ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ । ଏହା ପରେ ଅଲ୍ଲୀଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସାକ୍ଷାତ କରି ସମର୍ଥନ ଜଣାଇଥିଲେ । ସେହିପରି ନିକଟରେ ମହୁଆ ମୋଇତ୍ରାଙ୍କ ମାମଲାରେ ମଧ୍ୟ ଅଲ୍ଲୀ ମହୁଆଙ୍କୁ ସମର୍ଥନ କରିବା ସହ ବିଜେପିକୁ ସମାଲୋଚନା କରିଥିଲେ ।

Leave A Reply

Your email address will not be published.