Latest Odisha News

ତିନି ମହଲା କୋଠା ଭୁଶୁଡ଼ି ୧୦ ମୃତ୍ୟୁ, ୫ ଗୁରୁତର

ମୀରଟ: ଉତ୍ତର ପ୍ରଦେଶ ମୀରଟରେ ବଡ଼ ଅଘଟଣ। ପ୍ରବଳ ବର୍ଷାରେ ତିନି ମହଲା କୋଠା ଭୁଶୁଡ଼ି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଧ୍ଵଂସାବଶେଷ ତଳେ ଥିବା ବାକି ୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ଏହି ଅଘଟଣ ଘଟିବା ପରେ ସଙ୍ଗେ ସଙ୍ଗେ ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ୍‌, ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାର ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଫସି ରହିଥିବା ପଶୁମାନଙ୍କୁ ଉଦ୍ଧାର କରାଯାଉଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ କୋଠାଟି ହଠାତ୍ ଭୁଶୁଡ଼ି ପଡିଥିଲା। ତେବେ ଅଧିକାରୀଙ୍କ କହିବା ଅନୁସାରେ, କୋଠାଟି ବହୁତ ପୁରୁଣା ଥିଲା । ଗତ କିଛି ଦିନ ହେଲା ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷାରେ ପୁରୁଣା ବିଲଡିଂଟି ଦୁର୍ବଳ ହୋଇ ପଡ଼ିଥିବାରୁ ଭୁଶୁଡ଼ି ପଡ଼ିଛି। କୋଠା ଭୁଷୁଡିବା ବେଳେ କୋଠା ଭିତରେ ୧୫ଜଣ ଲୋକ ଥିଲେ । ସମସ୍ତେ ଧ୍ଵଂସାବଶେଷ ତଳେ ଚାପି ହୋଇ ରହିଥିଲେ । ଉଦ୍ଧାରକାରୀ ଦଳଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଘଟଣାସ୍ଥଳରେ ୧୦ଜଣଙ୍କର ମୃତ୍ୟୁ ହୋଇଛି । ୫ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୋଠା ତଳେ ଗୋଶାଳା ଥିଲା । ସେଠାରେ କିଛି ଗାଇ ଏବଂ ମଇଁଶି ଥିଲେ । ବର୍ତ୍ତମାନ ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଆରମ୍ଭ ହୋଇଛି ।

Comments are closed.