ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଥମ ଆଦିବାସୀ ଖେଳାଳି ଭାବେ ରବିନ ମିଞ୍ଜ ପଦାର୍ପଣ କରିଛନ୍ତି । ଝାଡଖଣ୍ଡର ଏହି ଯୁବ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କ ଆଦର୍ଶ ଭାବେ ମାନନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟତୀତ ଏଥର ଝାଡଖଣ୍ଡର ଈଶାନ କିଶାନ, କୁମାର କୁଶାଗ୍ର ଓ ରବିନ ମିଞ୍ଜ ଆଇପିଏଲରେ ଖେଳୁଛନ୍ତି । ଏହି ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ ଝାଡଖଣ୍ଡର କ୍ରିସ ଗେଲ ମଧ୍ୟ କୁହାଯାଏ । ବିସ୍ଫୋରକ ବ୍ୟାଟିଂ ପାଇଁ ସେ ବେଶ ପରିଚିତ । ଦର୍ଶକ ରୋହିତ ଶର୍ମାଙ୍କ ସହ ତାଙ୍କ ଓପନିଂ ବ୍ୟାଟିଂକୁ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ ମଧ୍ୟ ସାମାନ୍ୟ ନିରାଶ ହୋଇଛନ୍ତି । ସେ ତାଙ୍କ ପଦାର୍ପଣ ମ୍ୟାଚରେ ମାତ୍ର ୩ ରନ କରିବାକୁ ସକ୍ଷମ ହୋଇଥିଲେ । ଏଥର ମୁମ୍ବାଇ ତାଙ୍କୁ ୩.୬୦ କୋଟି ଟଙ୍କାରେ କିଣିଛି । ଆଗକୁ ସେ ଆଇପିଏଲରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।
ଧୋନୀଙ୍କ କୋଚ ଚଂଚଲ ଭଟ୍ଟଚାର୍ଯ୍ୟଙ୍କ ନିକଟରୁ ସେ ପ୍ରଶିକ୍ଷଣ ନେଇଛନ୍ତି । ରାଂଚର ତେଲଗାଁଓରେ ତାଙ୍କ ଘର । ବାପା ସେନାର ଅବସରପ୍ରାପ୍ତ ଯବାନ । ହକି ତାରକାରେ ଭରପୂର ଅଂଚଳରେ ସେ ରହୁଥିଲେ ମଧ୍ୟ କ୍ରିକେଟ ପ୍ରତି ବିଶେଷ ଆକୃଷ୍ଟ ହୋଇଥିଲେ । ଏହା ଏବେ ତାଙ୍କୁ ଏତେବାଟ ଆଣିପାରିଛି । ତାଙ୍କ ବାପା ଫ୍ରାନ୍ସିସ ଜାଭିୟର ମିଞ୍ଜ ଜଣେ ଭଲ ଆଥଲେଟ ଥିଲେ । ସେ ତାଙ୍କ ପୁଅକୁ ଜଣେ ଭଲ ଖେଳାଳି ହେବା ପାଇଁ ଆବଶ୍ୟକ ପ୍ରେରଣା ଯୋଗାଇଛନ୍ତି । ରବିନଙ୍କ ନିକଟରେ ଧୋନୀ ଏବଂ ଗେଲଙ୍କ ଖେଳର ମିଶ୍ରଣ ଦେଖିବାକୁ ମିଳେ ।