ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଗତ ୧୨ ତାରିଖରେ ବେଲଜିୟମରୁ ଗିରଫ କରାଯାଇଛି। ଏନେଇ ବେଲଜିୟମର ଫେଡେରାଲ ପବ୍ଲିକ୍ ସର୍ଭିସ୍ ସୋମବାର ଦିନ ଘୋଷଣା କରିବା ସହ ଭାରତ ତାଙ୍କର ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିବା ସ୍ପଷ୍ଟ କରିଛନ୍ତି।
ଫେଡେରାଲ ପବ୍ଲିକ୍ ସର୍ଭିସ୍ ତରଫରୁ ଆହୁରି ମଧ୍ଯ କୁହାଯାଇଛି ଯେ ଚୋକସିଙ୍କୁ ଗିରଫ ପରେ ତାଙ୍କୁ ତାଙ୍କ ଓକିଲ ସହ ଭେଟିବାକୁ ଅନୁମତି ଦିଆଯାଇଛି ଓ ବ୍ୟକ୍ତିଗତ କାରଣରୁ ଅଧିକ ତଥ୍ୟ ପ୍ରକାଶ କରାଯାଇପାରିବ ନାହିଁ ବୋଲି ମଧ୍ୟ କୁହାଯାଇଛି।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହୀରା ବ୍ୟବସାୟୀ ମେହୁଲ ଚୋକସି ଏବଂ ତାଙ୍କ ଭଣଜା ନୀରବ ମୋଦି ପ୍ରାୟ ୧୩,୫୦୦ କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବାର ଅଭିଯୋଗ ରହିଛି। ଏହି ଅଭିଯୋଗ ପରେ ଦୁହେଁ ଦେଶ ଛାଡି ପଳାଇ ଯାଇଥିଲେ। ତେବେ ମୁମ୍ବାଇର ଫୋର୍ଟରେ ଥିବା ପିଏନବିର ବ୍ରାଡି ହାଉସ ଶାଖାରେ ଅଧିକାରୀଙ୍କ ସହାୟତାରେ ଏହି ଦୁଇଜଣ ନକଲି ଲେଟର ଅଫ୍ ଅଣ୍ଡରଟେକିଂ ମାଧ୍ୟମରେ ବ୍ୟାଙ୍କରୁ ନେଇଥିବା ଟଙ୍କାକୁ ବିଦେଶକୁ ସ୍ଥାନାନ୍ତର କରିଦେଇଥିଲେ।
ତେବେ ଗତ ଫେବୃଆରୀ ପୂର୍ବରୁ କୋର୍ଟରେ ଚୋକସିଙ୍କ ଓକିଲ କହିଥିଲେ ଯେ ସେ ବ୍ଲଡ କ୍ୟାନ୍ସର ରୋଗରେ ପିଡୀତ ଅଛନ୍ତି ଓ ଚିକିତ୍ସା ପାଇଁ ବେଲଜିୟମରେ ଅଛନ୍ତି। ତେବେ ସେ ଭାରତୀୟ ଏଜେନ୍ସିଗୁଡ଼ିକୁ ସହଯୋଗ କରିବା ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇ ଏଜେନ୍ସିଗୁଡ଼ିକ ତାଙ୍କ ପ୍ରତ୍ୟର୍ପଣ ପାଇଁ କାର୍ଯ୍ୟ ଜାରି ରଖିଥିଲେ।
ଏହା ପୂର୍ବରୁ ୨୦୨୧ ମସିହାରେ ମଧ୍ୟ ମେହୁଲ ଚୋକସିଙ୍କୁ ଡୋମିନିକାନ୍ ରିପବ୍ଲିକରେ ଅବୈଧ ପ୍ରବେଶ ପାଇଁ ଗିରଫ କରାଯାଇଥିଲା। ସେହି ପରିସ୍ଥିତିରେ ତାଙ୍କ ସୁରକ୍ଷା ପାଇଁ ସିବିଆଇର ଏକ ଦଳ ସେହି ସମୟେର କାରିବିଆନ ଦେଶରେ ପହଞ୍ଚିଥିଲା।
Comments are closed.