Latest Odisha News

ବସର ମହିଳା ସିଟରେ ପୁରୁଷ ବସିଲେ ଫାଇନ୍‌

ଭୁବନେଶ୍ୱର: ଏଣିକି ବସରେ ମହିଳା ସିଟରେ ପୁରୁଷ ବସିଲେ ଭରିବେ ଫାଇନ୍ । ବସରେ ମହିଳାଙ୍କ ଉପରେ ହେଉଥିବା ଦୁର୍ବ୍ୟବହାରକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଚାଲୁଥିବା ବସରେ ମହିଳାଙ୍କ ସିଟରେ ପୁରୁଷ ବସିଥିବାର ଦେଖାଗଲେ, ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ।

ମଙ୍ଗଳବାର ଦିନ ପୋଲିସ ସେବା ଭବନରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ପ୍ରାଇଭେଟ ବସ ମାଲିକ ସଙ୍ଘର ସଦସ୍ୟ, କ୍ରୁଟ ର ପ୍ରବନ୍ଧକ ନିର୍ଦ୍ଦେଶକ ଅରୁଣ ବୋଥ୍ରା ଉପସ୍ଥିତ ଥିଲେ ।

ବସରେ ମହିଳାମାନେ ଛିଡା ହୋଇଥିବା ଅବସ୍ଥାରେ ଅଧିକ ଉତ୍ପୀଡନର ଶିକାର ହେଉଥିବାରୁ ଉଭୟ ସରକାରୀ ଓ ବେସରକାରୀ ବସରେ ମହିଳାଙ୍କ ପାଇଁ ପର‌୍ୟ୍ୟାପ୍ତ ସିଟ୍ ଯୋଗାଇ ଦେବା ଉପରେ ଏହି ବୈଠକରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ଏକ ବିଶେଷ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯିବ, ଯଦ୍ୱାରା ମହିଳାମାନେ ବସରେ ହେଉଥିବା ସମସ୍ୟା ବିଷୟରେ ଅଭିଯୋଗ କରିପାରିବେ ।

ଏହି ନିର୍ଦ୍ଦେଶ ଯେମିତି ଠିକରେ କାର‌୍ୟ୍ୟକାରୀ ହେବ ତଥା ବସ କର୍ମଚାରୀଙ୍କ ବ୍ୟବହାର ଯେମିତି ଭଲ ରହେ ଏବଂ ଡ୍ୟୁଟି ସମୟରେ କୌଣସି ମାଦକ ଦ୍ରବ୍ୟ ସେବନ ନକରନ୍ତି ଏହାକୁ ନିଶ୍ଚିତ କରିବେ ବସ ମାଲିକ ।

Leave A Reply

Your email address will not be published.