Latest Odisha News

BREAKING NEWS

ରୂପେଲି ପରଦାରେ ନେପଥ୍ୟ ନାୟକ

ମୁମ୍ବାଇ: ନିକଟରେ ରିଲିଜ ହୋଇଛି ଏକ ବଲିଉଡ୍ ବାୟୋପିକ୍ ଚନ୍ଦୁ ଚାମ୍ପିଅନ । କାର୍ତ୍ତିକ ଆର୍ଯ୍ୟନ ଅଭିନୀତ ଓ କବୀର ଖାନ ନିର୍ଦ୍ଦେଶିତ ଚନ୍ଦ୍‌ୁ ଚାମ୍ପିଅନ ହେଉଛି ଏକ ସ୍ପୋର୍ଟସ ବାୟୋପିକ୍ । ଆଉ ଯାହାଙ୍କ ଜୀବନୀ ଉପରେ ଏହି ବାୟୋପିକ ନିର୍ମିତ ହୋଇଛି, ତାଙ୍କ ବାବଦରେ ହୁଏତ ଆମେ ସମସ୍ତେ ଅବଗତ ନୋହୁଁ । କାରଣ ସେ ହେଉଛନ୍ତି ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଜଣେ ନେପଥ୍ୟ ନାୟକ । ପାରାଅଲିମ୍ପିକ କ୍ରୀଡାରେ ଭାରତ ପାଇଁ ସର୍ବପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ମୁରଲୀକାନ୍ତ ପେଟକରଙ୍କ ସଂଘର୍ଷ ଓ ସଫଳତା ଉପରେ ଆଧାରିତ ଚନ୍ଦୁ ଚାମ୍ପିଅନ । ଏହି ଫିଲ୍ମ ରିଲିଜ ପରେ ହିଁ ଏକ ଅନାଲୋଚିତ ଓ କମ୍ ଚର୍ଚ୍ଚିତ ବ୍ୟକ୍ତିବିଶେଷଙ୍କ ସଂପର୍କରେ ଅନେକ ଅବଗତ ହୋଇଥାଏ ।

ବାୟୋପିକ୍ ପ୍ରତି ରୁଚି ରଖୁଥିବା ସିନେପ୍ରେମୀଙ୍କ ପାଇଁ ଖୁସିର ବିଷୟ ଯେ, ଗତ କିଛି ମାସ ମଧ୍ୟରେ ଭାରତର ଅନାଲୋଚିତ ଓ ଚର୍ଚ୍ଚାର ପରିଧିକୁ ପ୍ରାୟତଃ ଆସୁନଥିବା ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କ ଉପରେ ଚଳଚ୍ଚିତ୍ର ରିଲିଜ ହୋଇଛି ।  ମଇଦାନ, ଅମର ସିଂହ ଚମକିଲା, ଶ୍ରୀକାନ୍ତ ଗୋଟିଏ ଗୋଟିଏ ଉଦାହରଣ । ଗତବର୍ଷ ରିଲିଜ ହୋଇଥିବା ମିଶନ ରାଣୀଗଞ୍ଜ ମଧ୍ୟ ଭିନ୍ନ ସ୍ୱାଦର ବାୟୋପିକ୍ ଶ୍ରେଣୀଭୁକ୍ତ ହେବ । ଏସବୁ ଚଳଚ୍ଚିତ୍ର ମଧ୍ୟରୁ କିଛି ଆଦୃତ ହୋଇଛି ତ ଆଉ କିଛି ଦର୍ଶକୀୟ ସମର୍ଥନ ହାସଲ କରିବାରେ ବିଫଳ ହୋଇଛି । କିନ୍ତୁ  ଏସବୁ ବାୟୋପିକ୍ ଦ୍ୱାରା ସବୁ ଶ୍ରେଣୀର ଦର୍ଶକ ବିସ୍ମୃତ ନେପଥ୍ୟ ନାୟକଙ୍କ ବାବଦରେ ଅବଗତ ହୋଇପାରୁଛନ୍ତି । ସେମାନଙ୍କ ଅକୁହା ଇତିହାସ, ସଂଘର୍ଷ ଓ ସଫଳତା ବାବଦରେ ଜାଣିପାରୁଛନ୍ତି ।

କିଛି ଦିନ ତଳେ ରିଲିଜ ହୋଇଥିଲା ଅଜୟ ଦେବଗନ ଅଭିନୀତ ଫିଲ୍ମ ମଇଦାନ୍ । ଭାରତର କିମ୍ବଦନ୍ତୀ ଫୁଟବଲ କୋଚ୍ ଓ ମ୍ୟାନେଜର ସୟିଦ ଅବଦୁଲ ରହିମଙ୍କ ଜୀବନୀ ଉପରେ ଆଧାରିତ ମଇଦାନ । ଏହି ଫିଲ୍ମ ରିଲିଜ୍ ପୂର୍ବରୁ ସମସ୍ତେ କଣ ରହିମଙ୍କ ବାବଦରେ ଜାଣିଥିବେ ବୋଲି ଭାବିବା ଭୁଲ୍ ହେବ । ତେଣୁ ମଇଦାନ ଜରିଆରେ ଆମେ ଭୁଲିଯାଇଥିବା ଜଣେ କିମ୍ବଦନ୍ତୀ ଫୁଟବଲ କୋଚଙ୍କ ସଂପର୍କରେ ନଜାଣିବା ଲୋକେ ଜାଣିଲେ ।

ନେଟଫ୍ଲିକ୍ସରେ ଗତ ମାର୍ତ୍ତମାସଠାରୁ ଷ୍ଟ୍ରିମିଂ ହେଉଛି ଇମତିଆଜ ଅଲ୍ଲୀ ନିର୍ଦ୍ଦେଶିତ ଫିଲ୍ମ ଅମର ସିଂହ ଚମକିଲା । ଅଶୀ ଦଶକରେ ପଂଜାବୀ ଲୋକଗୀତର ବେତାଜ ବାଦଶାହ ଥିଲେ ଅମର ସିଂହ ଚମକିଲା । ସେ ଲେଖିଥିବା ଓ ଗାଇଥିବା ପଂଜାବୀ ଗୀତକୁ କେତେକ ଦ୍ୱିଅର୍ଥବୋଧକ ଓ ଅଶ୍ଲୀଳ ବୋଲି ସମାଲୋଚନା କରୁଥିଲେ ମଧ୍ୟ ତାଙ୍କ ଲୋକପ୍ରିୟତା ଥିଲା କାହିଁରେ କଣ । ତାଙ୍କୁ ପଞ୍ଜାବର ଏଲଭିସ ପ୍ରିସଲେ ମଧ୍ୟ କୁହାଯାଉଥିଲା । ଏକ ନିତାନ୍ତ ଗରିବ ପରିବାରରୁ ନିଜ ସଂଗୀତ ବଳରେ ଖ୍ୟାତି ଶୀର୍ଷରେ ପହଂଚିପାରିଥିଲେ ଅମର ସିଂହ ଚମକିଲା । ମାତ୍ର ୨୭ ବର୍ଷ ବୟସରେ ହିଁ ଚମକିଲାଙ୍କୁ ତାଙ୍କ ସ୍ତ୍ରୀଙ୍କ ସହ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ତାଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାହା ଆଜି ବି ରହସ୍ୟ ହୋଇ ରହିଛି । କିନ୍ତୁ ଚମକିଲାଙ୍କ ସଂଗୀତ ଆଜି ବି ପଂଜାବର ଘରେ ଘରେ ଚମକୁଛି । ଇମତିଆଜ ଅଲ୍ଲୀଙ୍କ ବାୟୋପିକ ଦ୍ୱାରା ଚମକିଲାଙ୍କ ସଂପର୍କରେ ଆଜିର ପୀଢି ଜାଣିବାକୁ ପାଇଲେ । ଚମକିଲା ଓ ତାଙ୍କ ସଂଗୀତ ନେଇ ଆଜି ପୁଣି ଚର୍ଚ୍ଚା ହେବାରେ ଲାଗିଛି ।

ନିକଟରେ ଆଉ ଏକ ଭିନ୍ନ ବ୍ୟକ୍ତିବିଶେଷଙ୍କ ଉପରେ ନିର୍ମିତ ହୋଇ ଉଭୟ ଦର୍ଶକ ଓ ସମାଲୋଚକଙ୍କ ଦ୍ୱାରା ପ୍ରଶଂସିତ ହୋଇଛି । ସେହି ଫିଲ୍ମ ହେଉଛି ଶ୍ରୀକାନ୍ତ । ୩୨ ବର୍ଷିୟ ଦୃଷ୍ଟିବାଧିତ ଶିଳ୍ପପତି ଓ ବୋଲାଂଟ ଇଣ୍ଡଷ୍ଟ୍ରିଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀକାନ୍ତ ବୋଲାଙ୍କ ଉପରେ ଆଧାରିତ ହୋଇଛି ଫିଲ୍ମ ଶ୍ରୀକାନ୍ତ । ରାଜକୁମାର ରାଓ ଅଭିନୀତ ଏହି ଫିଲ୍ମର ରିଲିଜ୍ ପୂର୍ବରୁ ହୁଏତ ବହୁ କମ୍ ଲୋକ ହିଁ ଶ୍ରୀକାନ୍ତ ବୋଲାଙ୍କ ବିଷୟରେ ଜାଣିଥିବେ ।

ଗତବର୍ଷ ରିଲିଜ ହୋଇଥିଲା ଅକ୍ଷୟ କୁମାର ଅଭିନୀତ ଫିଲ୍ମ ମିଶନ ରାଣୀଗଂଜ । ପାଣି ଭର୍ତ୍ତି ହୋଇଯାଇଥିବା ଏକ କୋଇଲା ଖଣରେ ଫସିଥିବା ୬୫ ଶ୍ରମିକଙ୍କୁ ଉଦ୍ଧାର କରିବା ଅଭିଯାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା  ଜଣେ ସାହସୀ ଓ ବୁଦ୍ଧିମାନ ମାଇନିଂ ଇଂଜିନିୟର ଯଶୱନ୍ତ ସିଂହଙ୍କ ଉପରେ ଆଧାରିତ ଥିଲା ମିଶନ ରାଣୀଗଂଜ୍ । ଫିଲ୍ମ ରିଲିଜ ପୂର୍ବରୁ ସେହି ସାହସୀ ମାଇନିଂ ଇଂଜିନିୟରଙ୍କ ସଂପର୍କରେ କେତେ ଜଣ ଜାଣିଥିଲେ ?

କେବଳ ହିନ୍ଦି ନୁହେଁ ଅନ୍ୟ ଭାଷାରେ ମଧ୍ୟ ନିକଟ ଅତୀତରେ କିଛି ବାୟୋପିକ୍ ନିର୍ମିତ ହୋଇଛି , ଯାହା କି ଦୃଷ୍ଟି ଆଢୁଆଳରେ ରହିଯାଇଥିବା ପ୍ରେରଣାପ୍ରଦ ନେପଥ୍ୟ ନାୟକଙ୍କ ଉପରେ ଆଧାରିତ । ୨୦୨୧ରେ ରିଲିଜ ହୋଇଥିଲା ତାମିଲ ବାୟୋପିକ୍ ସୁରାରାଇ ପୋଟୁରୁ । ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା ସୁଲଭ କରିଥବା ପାଇଁ ସ୍ୱପ୍ନ ଦେଖିଥିବା ଏୟାର ଡେକାନ ପ୍ରତିଷ୍ଠାତା କ୍ୟାପଟେନ ଜି.ଆର୍ ଗୋପୀନାଥଙ୍କ ଉପରେ ଆଧାରିତ ହୋଇଛି ଫିଲ୍ମ ସୁରାରାଇ ପୋଟୁରୁ । ଏହାର ହିନ୍ଦି ରିମେକ ସର୍ଫିରା ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି ।

ପ୍ରତିକୂଳ ପରିସ୍ଥିତିରେ ପଡି ମଧ୍ୟ ଜୀବନର ଆଶା ନ ହରାଇ, ସବୁ ପ୍ରକାର ଆହ୍ୱାନର ସଂଘର୍ଷପୂର୍ଣ୍ଣ ମୁକାବିଲା କରି ସଫଳ ହୋଇଥିବା ସାଧାରଣ ବ୍ୟକ୍ତିଙ୍କ ବାସ୍ତବ ଜୀବନ କାହାଣୀ ମଧ୍ୟ ବେଶ୍ ପ୍ରେରଣାଦାୟୀ । କେରଳର ଜଣେ ଦେଶାନ୍ତରୀ ଶ୍ରମିକ ନଜିବ ମହମ୍ମଦଙ୍କ କାହାଣୀ ବି ଏହିଭଳି । ସାଉଦି ଆରବରେ କାମ କରିବାକୁ ଯାଇ ନଜିବ ଜଣେ ଅତ୍ୟାଚାରୀ ସାଉଦି ଶେଖଙ୍କ କବଳରେ ପଡି କିଭଳି ଛେଳିମେଂଢା ଜଗି କ୍ରୀତଦାସ ଜୀବନ ବିତାଇଥିଲେ ଓ ପରେ ସେଠାରୁ ଖସି ଆସିବାରେ ସମର୍ଥ ହୋଇଥିଲେ । ଦୃଢମନା ନଜିବଙ୍କ ଏହି ସଂଘର୍ଷ ଉପରେ ଆଧାରିତ ପୁସ୍ତକ ଦି ଗୋଟ୍ ଲାଇଫ୍ ଉପରେ ନିର୍ମିତ ହୋଇଛି ମାଲୟଲମ ବାୟୋପିକ୍ ଆଡୁଜୀବିତମ୍ । ପୃଥ୍ୱୀରାଜ ସୁକୁମାରନ ଅଭିନୀତ ଓ ବ୍ଲେସି ନିର୍ଦ୍ଦେଶିତ ଏହି ଫିଲ୍ମ ଅନ୍ୟ ଭାରତୀୟ ଭାଷାରେ ଡବିଂ ହୋଇ ରିଲିଜ ହୋଇଛି । ମାଲୟଲମ ଭର୍ସନ ଅପାର ସଫଳତା ହାସଲ କରିବା ସହ ସମାଲୋଚକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ।

ସେତେ ପରିଚିତ ହୋଇନଥିଲେ ମଧ୍ୟ ନିଜର ସଂଘର୍ଷ ଓ ସଫଳତାରେ ଅନ୍ୟମାନନଙ୍କ ପାଇଁ ଉଦାହରଣ ସୃଷ୍ଟି କରି ଦୃଷ୍ଟି ଆଢୁଆଳରେ ରହିଯାଉଥିବା ଏଭଳି ନେପଥ୍ୟ ନାୟକ ବା ଅନସଙ୍ଗ୍ ହୀରୋଙ୍କ ଉପରେ ନିର୍ମିତ ବାୟୋପିକ ସଂଖ୍ୟା ବହୁତ୍ କମ୍ ।

Leave A Reply

Your email address will not be published.