Latest Odisha News

BREAKING NEWS

ଇତିହାସ ପାଲଟିବ ସ୍କାଇପ୍, ଆଜିଠୁ ସେବା ବନ୍ଦ

ନୂଆଦିଲ୍ଲୀ: ଏକଦା ଭିଡିଓ କନଫରେନ୍ସିଂ ସେବା ପାଇଁ ପ୍ରସିଦ୍ଧ ସ୍କାଇପ୍ ସର୍ଭିସ ଏବେ ବନ୍ଦ ହେବାକୁ ଯାଉଛି। ସାରା ବିଶ୍ୱରେ ଅନଲାଇନ୍ କଲିଂ ଏବଂ ଭିଡିଓ ଚାଟିଂର ଭରସା ପାଲଟିଥିବା ସ୍କାଇପ୍ ଆଜି ଅର୍ଥାତ୍ ୫ ମଇ, ୨୦୨୫ରେ ଆନୁଷ୍ଠାନିକ ଭାବରେ ବନ୍ଦ ହେଉଛି।

ପ୍ରାୟ ଦୁଇ ଦଶନ୍ଧି ଧରି ଲୋକଙ୍କୁ ଯୋଡ଼ି ରଖିଥିବା ଏହି ଆପ୍ ଏବେ ଇତିହାସ ପାଲଟିଯିବ। ଏହା ବଦଳରେ ମାଇକ୍ରୋସଫ୍ଟ ଟିମ୍ସକୁ ସ୍କାଇପର ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇଛି। ମାଇକ୍ରୋସଫ୍ଟ ୨୦୧୧ ମସିହାରେ ୮.୫ ବିଲିୟନ ଡଲାରରେ ସ୍କାଇପ କିଣିଥିଲା ଏବଂ ବର୍ତ୍ତମାନ ଏହାକୁ ମାଇକ୍ରୋସଫ୍ଟ ଟିମ୍ସ ସହିତ ସାମିଲ କରିବାକୁ ନିଷ୍ପତ୍ତି ନେଇଛି।

ସ୍କାଇପ୍ ୨୦୦୩ ମସିହାରେ ଆରମ୍ଭ ହୋଇଥିଲା। ସେତେବେଳେ ଏହାକୁ ନିକ୍ଲାସ୍ ଜେନାଷ୍ଟ୍ରୋମ୍ ଏବଂ ଜାନସ୍ ଫ୍ରାଇସ୍ ସୃଷ୍ଟି କରିଥିଲେ। ଏହା ଏକ ସ୍ୱାଧୀନ କମ୍ପାନୀ ଭାବରେ ଆରମ୍ଭ ହୋଇଥିଲା ବେଳେ ଖୁବ୍ ଶୀଘ୍ର ଲୋକପ୍ରିୟ ହୋଇଥିଲା। ୨୦୦୫ ମସିହାରେ, eBay ୨.୬ ବିଲିୟନ ଡଲାରରେ ସ୍କାଇପ୍ କିଣିଥିଲା କିନ୍ତୁ ଏହି ଅଧିଗ୍ରହଣ ସଫଳ ହୋଇନଥିଲା। ୨୦୦୯ ମସିହାରେ eBay ସ୍କାଇପ୍ ର ୭୦% ସିଲଭର ଲେକ୍ ପାର୍ଟନର୍ସ ଭଳି ନିବେଶକଙ୍କୁ ବିକ୍ରି କରିଥିଲା। ତା’ପରେ ୨୦୧୧ ମସିହାରେ ମାଇକ୍ରୋସଫ୍ଟ ୮.୫ ବିଲିୟନ ଡଲାରରେ ସ୍କାଇପ୍ କୁ ସମ୍ପୂର୍ଣ୍ଣ ଭାବରେ ଅଧିଗ୍ରହଣ କରିଥିଲା।

ସ୍କାଇପ୍ ୨୦୦୩ରେ ଲଞ୍ଚ ହୋଇଥିଲେ ମଧ୍ୟ ୨୦୧୧ ରେ ମାଇକ୍ରୋସଫ୍ଟର ମାଲିକାନା ଅଧୀନକୁ ଆସିଥିଲା। କାରଣ ଏହା ପୂର୍ବରୁ ଅନ୍ୟ କମ୍ପାନୀର ମାଲିକାନାରେ ଥିଲା। ତେବେ ମାଇକ୍ରୋସଫ୍ଟ ସ୍କାଇପ୍ ପାଇଁ ନୂତନ ଦେୟଯୁକ୍ତ ସଦସ୍ୟତା ବନ୍ଦ କରିଦେଇଛି। ଯଦିଓ ପୂର୍ବରୁ ଥିବା ଦେୟଯୁକ୍ତ ଉପଭୋକ୍ତାମାନେ ସେମାନଙ୍କର ପରବର୍ତ୍ତୀ ନବୀକରଣ ପ୍ଲାନ୍ ସମାପ୍ତ ନହେବା ପର୍ଯ୍ୟନ୍ତ ସେମାନଙ୍କର ସେବା ବ୍ୟବହାର ଜାରି ରଖିପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Comments are closed.