Latest Odisha News

BREAKING NEWS

ଭାରତର ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub, ୧୪୨ ଜଣ ଚାକିରିରୁ ବିଦା

ନୂଆଦିଲ୍ଲୀ: ସଫ୍ଟୱେୟାର କମ୍ପାନୀ ଗିଟ୍‌ହବ୍(GitHub) ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କରିଛି। ଏଥିରେ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଦିଲ୍ଲୀରେ ଥିବା ୧୪୨ ଇଞ୍ଜିନିୟର ପ୍ରଭାବିତ ହୋଇଛନ୍ତି। ଏନେଇ ଗିଟ୍‌ହବ୍ କହିଛି ଯେ କମ୍ପାନୀ ପୁନଃର୍ଗଠନ ଯୋଜନା ଅନୁସାରେ ଏପରି କରାଯାଇଛି।

କମ୍ପାନୀ ପ୍ରବକ୍ତା କହିଛନ୍ତି ଯେ ଫେବ୍ରୁଆରୀରେ ହୋଇଥିବା ଘୋଷଣା ଅନୁସାରେ କମ୍ପାନୀର କର୍ମଚାରୀ ସଂଖ୍ୟା ହ୍ରାସ କରାଯାଇଛି। ମଙ୍ଗଳବାର ନିଆଯାଇଥିବା ଏହି ନିଷ୍ପତ୍ତି କଷ୍ଟ ହେଲେ ବି କମ୍ପାନୀର ଅଭିବୃଦ୍ଧି ପାଇଁ ଯୋଜନା ଅନୁସାରେ ଏହି ଛଟେଇ ହୋଇଛି। କାରଣ କମ୍ପାନୀ ଏବେ ସ୍ୱଳ୍ପ ଅବଧୀ ପାଇଁ ନୁହେଁ ବରଂ ଦୀର୍ଘସ୍ଥାୟୀ ଯୋଜନା ଉପରେ ପୁଞ୍ଜି ନିବେଶ କରିବାକୁ ଚାହୁଁଛି ବୋଲି ଗିଟ୍‌ହବ୍ ପ୍ରବକ୍ତା କହିଛନ୍ତି।

କହି ରଖୁଛୁ ଯେ ମାଇକ୍ରୋସଫ୍ଟ ମାଲିକାନାରେ ଥିବା ଗିଟ୍‌ହବ୍ ପ୍ରଥମ ଥର ପାଇଁ ଏଭଳି ଛଟେଇ କରି ନାହିଁ। ପୂର୍ବରୁ ଗତମାସରେ ମଧ୍ୟ କମ୍ପାନୀ ଖର୍ଚ୍ଚକାଟ ପାଇଁ ୧୦ ପ୍ରତିଶତ କର୍ମଚାରୀ ଛଟେଇ କରିଥିଲା। ଚଳିତ ବର୍ଷ  ଜାନୁଆରୀରେ ମାଇକ୍ରୋସଫ୍ଟ ୧୦ ହଜାର କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଥିଲା। ଖର୍ଚ୍ଚ କାଟ ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେବ ବୋଲି କହିଥିଲା। ସୂଚନା ଥାଉକି ୨୦୧୮ ଜୁନ ୨ ତାରିଖରେ ମାଇକ୍ରୋସଫ୍ଟ ଗିଟ୍‌ହବ୍‌କୁ ୭.୫ ବିଲିୟନ ଆମେରିକୀୟ ଡଲାର୍‌ରେ କିଣିଥିଲା। ୨୦୨୨ ସୁଧା କମ୍ପାନୀର ବାର୍ଷିକ ଆୟ ୧ ବିଲିୟନ ରହିଥିଲା।

Comments are closed.