Latest Odisha News

ହାଡଭଙ୍ଗା ଖଟଣି ପରେ ମିଳିଲାନି ଅର୍ଥ କି ଆହାର; ୩୦୦ କିମି ଚାଲି ଚାଲି ଘରକୁ ଫେରୁଛନ୍ତି ଦାଦନ

ଜୟପୁର: ପେଟର ଭୋକ ଆଉ ପରିବାରର ବୋଝକୁ ମୁଣ୍ଡାଇ ଆଶାର ଅମୃତ୍ତ ସାଉଁଟି ଆଣିବା ପାଇଁ ଧାଇଁଯାଇଥିଲେ ରାଜ୍ୟ ବାହାରକୁ । ପରିସ୍ଥିତିର ଦାସତ୍ୱକୁ ସ୍ୱୀକାର କରି ଦାମୋଦର ଖିଲ ଯାଇଥିଲେ ଦାଦନ ଖଟିବା ପାଇଁ । ଦାଦନ ଖଟିବାକୁ ଯାଇ ସେଠାରେ ସେ ଅନେକ ନିର୍ଯାତନା ସହି କାମ କରୁଥିଲେ । ନିର୍ଯାତନାର କଠୋରତା ଆଗରେ ହାର୍ ମାନିଲା ଧର୍ଯ୍ୟ ଶକ୍ତି  । କଷ୍ଟ ସହିବା ପାଇଁ ମନରେ ସାହସ ଆଉ ଦେହରେ ବଳ ନଥିଲା । ନିର୍ଯାତନା ସହି ପାରିଲେନି l ଶେଷରେ ଭଦ୍ରାଞ୍ଚଳମ୍ ଠାରୁ କିଛି ନ ଖାଇ କେବଳ ପାଣି ପିଇ ଚାଲି ଚାଲି ନିଜ ଗାଁକୁ ଫେରୁଥିଲେ ଦାଦନ ଶ୍ରମିକ ଦାମୋଦର  l

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସଗର ଗ୍ରାମର ଦାମୋଦର ଖିଲ ।  ଅଭାବ ଅନଟନ ପାଇଁ ଦିନେ ବାଧ୍ୟ ହୋଇଥିଲେ ଭିଟାମାଟି ଛାଡିବା ପାଇଁ । ଆଶା ଥିଲା ରାଜ୍ୟ ବାହାରେ କାମ ମିଳିବ । କାମ କରି ଟଙ୍କା ରାେଜଗାର କରିବେ । ସେଥିପାଇଁ  ସେ  ଭଦ୍ରାଞ୍ଚଳମର ଏକ ଚିଙ୍ଗୁଡ଼ି ଫାକ୍ଟ୍ରିରେ କାମ କରିବା ପାଇଁ ଯାଇଥିଲେ l ତାଙ୍କୁ ଦୈନିକ ୫୫୦ ଟଙ୍କା ମଜୁରୀ ଦିଆଯିବ ବୋଲି   କହି ଜଣେ ଦଲାଲ  ଭଦ୍ରାଞ୍ଚଳମ୍ ନେଇ ଯାଇଥିଲେ ।  ସେଠାରେ ତାଙ୍କୁ ଛାଡି ଦଲାଲ ଫେରି ଆସିଥିଲେ ।

ସେଠାରେ ଚିଙ୍ଗୁଡି ଫାକ୍ଟ୍ରିରେ ଚାରିମାସ ପନ୍ଦର ଦିନ ପର୍ଯ୍ୟନ୍ତ କାମ କରିଥିଲେ ।  ହେଲେ  ମଧ୍ୟ ତାଙ୍କୁ ମାଲିକ ମଜୁରୀ ଦେଇ ନଥିଲା । ପାଖରେ ପଇସା ନାହିଁ । ଖାଇବାକୁ ନାହିଁ । କେତେଦିନ ଆଉ ଖଟିଥାନ୍ତେ । ତେଣୁ ଘରକୁ ଫେରି ଆସିବା ପାଇଁ ସ୍ଥିର କଲେ ଦାମୋଦର । କିନ୍ତୁ ଆସିବେ କେମିତି ? ପାଖରେ ତ ଅର୍ଥ ନାହିଁ । ତେଣୁ   ନିଜ ଗାଁ ଅଭିମୁଖେ ପାଦରେ ଚାଲିଚାଲି ବାହାରିଥିଲେ l

ଦୀର୍ଘ ୨୯ ଦିନ ଧରି ସେ ଚାଲୁଥିଲେ । ଚାଲି ଚାଲି ସେ  ୩୦୦ କିଲୋମିଟର ରାସ୍ତା ଅତିକ୍ରମ କରି ସାରିଥିଲେ । ହେଲେ ଆଉ ଚାଲିବାକୁ ବଳ ନ ଥିଳା ।  ପାଦ ଥକି ଯାଇଥିଲା ।  ଶେଷରେ ରଞ୍ଚି ବିଜୟୱାର୍ଡା ୩୨ ନମ୍ବର୍ ଜାତୀୟ ରାଜପଥ ବୈପାରୀଗୁଡା ଥାନl ଅନ୍ତର୍ଗତ ଟାଙ୍ଗିଣୀଗୁଡା ଛକ ରାସ୍ତା କଡ଼ରେ ଥିବା ବିଶ୍ରାମଗୃହରେ ସେ ଅଟକି ଯାଇଥିଲେ l  ଶରୀର  ଦୁର୍ବଳ ହୋଇ ଯାଇଥିଲା । ସେଠାରୁ ସେ ଉଠିବା ଅବସ୍ଥାରେ ନ ଥିଲେ ।  ସ୍ଥାନୀୟ କିଛି  ଯୁବକ ସେଠାରୁ ତାଙ୍କୁ ଉଦ୍ଧାର କରି ବୈପାରୀଗୁଡା ପୋଲିସକୁ ହସ୍ତାନ୍ତର କରିଛନ୍ତି l ସେପଟେ ପରିବାରଲୋକଙ୍କୁ ଯୋଗାଯୋଗ କରାଯାଉଛି ଓ ପ୍ରାଥମିକ ଚିକିତ୍ସାପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l

 

Comments are closed.