Latest Odisha News

ଶୀତର ପହିଲି ପରସ: ବିଦେଶୀ ପକ୍ଷୀଙ୍କ କିଚିରି-ମିଚିରି ଶବ୍ଦରେ ମୁଖରିତ ମଙ୍ଗଳାଯୋଡି

ଭୁବନେଶ୍ବର: ଓଡିଶାକୁ ଛୁଇଁଲାଣି ପହିଲି ଶୀତ । ଆଉ ଶୀତ ଆସିଲେ ମନେପଡେ ଚିଲିକା କଥା । କାରଣ ଏହି ସମୟରେ ମରାଳ ମାଳିନୀ ନୀଲାମ୍ଵୁ ଚିଲିକାରେ ଏବେ ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ଆଉ ଅତିଥି ବିହଙ୍ଗଙ୍କ କିଚିରି ମିଚିରି ରାବରେ ମୁଖରିତ ହୁଏ ସମଗ୍ର ଅଞ୍ଚଳ । ଏହି ଦୃଶ୍ୟକୁ ଉପଭୋଗ କରିବାକୁ କାହିଁ କେତେ ଦୂରରୁ ଚାଲିଆସନ୍ତି ପର୍ଯ୍ୟଟକ ମାନେ ।

ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ସୁଦୂର ଋଷିଆ, ନାଇଜେରିଆ, ଲଦାଖ, କାଗଜିସ୍ଥାନ ଭଳି ଅଞ୍ଚଳରୁ ହଜାର ହଜାର ମାଇଲ ଅତିକ୍ରମ କରି ଚିଲିକାର ମଙ୍ଗଳାଯୋଡିରେ ପହଞ୍ଚିଲେଣି ବିଦେଶୀ ପକ୍ଷୀ । ବିଦେଶୀ ବିହଙ୍ଗଙ୍କ ଶବ୍ଦ ଶୁଣିବା ସହ ସେମାନଙ୍କର ଆଗମନରେ ଆହୁରି ବୃଦ୍ଧି ପାଇଥିବା ଚିଲିକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କର ଆସିବା ମଧ୍ୟ ଆରମ୍ଭ ହୋଇଗଲାଣି । ଡଙ୍ଗା ସାହାଯ୍ୟରେ ପକ୍ଷୀ ଅଭୟାରଣ୍ୟରେ ବୁଲିବାର ମଜା ଉଠାଉଛନ୍ତି ପର୍ଯ୍ୟଟକ ମାନେ ।

ନଭେମ୍ବର ମାସରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଅଧିକ ବଢିବାକୁ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଚଳିତବର୍ଷ ଶୀତ ଆରମ୍ଭରୁ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱ ବିଦେଶାଗତ ପକ୍ଷୀ ଚିଲିକାକୁ ଆସିଲେଣି । ବିଦେଶୀ ଓ ଦେଶୀ ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର କରାଯାଇଛି । ଏହା ସହ ଚିଲିକାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ମଧ୍ୟ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ।

ତେବେ ଆଗକୁ ଥଣ୍ଡା ବଢିବାର ସମ୍ଭାବନା ଥିବାରୁ ଏବଂ ଚଳିତବର୍ଷ ଯଦି ପାଗ ଅନୁକୂଳ ରହେ ତେବେ ବିଦେଶୀ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । ଯାହାକୁ ନେଇ ଏଠାରେ ପକ୍ଷୀ ମାନଙ୍କ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି । ତେବେ ନାନା ପ୍ରକାରର ବିଦେଶୀ ପକ୍ଷୀମାନଙ୍କର ଚିଲିକାକୁ ଆଗମନରେ ଚିଲିକାର ଶୋଭା ଆହୁରି ବଢିଯାଇଛି ।

Leave A Reply

Your email address will not be published.