Latest Odisha News

ଖଣି ଦୁର୍ନୀତି: ରୋହିତ କହିଲେ ନିର୍ବାଚନରେ ହାରିବା ଭୟରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ଜୟନାରାୟଣ

ଭୁବନେଶ୍ୱର: ଓଡ଼ିଶାରେ ଖଣି ଦୁର୍ନୀତି ଅଭିଯୋଗ ଆଣିଥିବା ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଶାସକ ଦଳ ବିଜୁ ଜନତା ଦଳ (ବିଜେଡି)ର ନେତା ରୋହିତ ପୂଜାରୀ। ଆଗାମୀ ନିର୍ବାଚନରେ ହାରିବା ଭୟରେ ସମ୍ବଲପୁର ବିଧାୟକ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି ବୋଲି ସେ କହିଛନ୍ତି।

ବିଜେଡି ନେତା ରୋହିତ ପୂଜାରୀ ଏକ ବିବୃତିରେ କହିଛନ୍ତି ଯେ ଜୟନାରାୟଣ ମିଶ୍ର ଭଲ ଭାବେ ଜାଣନ୍ତି ଯେ ଆଗାମୀ ନିର୍ବାଚନରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ଯାଉଛି। ତେଣୁ ପରାଜୟ ଆଶଙ୍କାକରି ବିରୋଧୀ ଦଳ ନେତା ନିରାଶ ହୋଇ ମିଥ୍ୟା ପ୍ରଚାର କରୁଛନ୍ତି ବୋଲି ଶ୍ରୀ ପୂଜାରୀ ଅଭିଯୋଗ କରିଛନ୍ତି।

ନିର୍ବାଚନ ପୂର୍ବରୁ ବ୍ୟବସାୟୀଙ୍କଠାରୁ ଚାନ୍ଦା ଆଦାୟ କରିବା ପାଇଁ ଜୟନାରାୟଣ ମିଶ୍ର ଏଭଳି ଅଭିଯୋଗ ଆଣି ବ୍ଲାକମେଲିଂ କୌଶଳ ଅବଲମ୍ବନ କରୁଥିବା ବିଜେଡି ନେତା ଅଭିଯୋଗ କରିଛନ୍ତି।

ତେବେ ଜୟନାରାୟଣ ମିଶ୍ରଙ୍କ ପ୍ରକୃତ ଚରିତ୍ର ବିଷୟରେ ସମ୍ବଲପୁରବାସୀ ଅବଗତ ଅଛନ୍ତି ଏବଂ ତାଙ୍କ ଅଭିଯୋଗକୁ ସେମାନେ କେବେ ଗମ୍ଭୀରତାର ସହ ନେବେ ନାହିଁ ବୋଲି ରୋହିତ ପୂଜାରୀ କହିଛନ୍ତି।

ଓଡ଼ିଶାରେ ୯ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି ବୋଲି ବିରୋଧୀ ଦଳ ନେତା ଅଭିଯୋଗ କରିବାର କିଛି ଘଣ୍ଟା ପରେ ରୋହିତ ପୂଜାରୀ ଏଭଳି ବୟାନ ଦେଇଛନ୍ତି। ସମ୍ପୂର୍ଣ୍ଣ ଜାଣତରେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଏହି ଖଣି ଦୁର୍ନୀତି ହୋଇଛି ବୋଲି ବିଜେପି ନେତା ଅଭିଯୋଗ କରିବା ସହ ଏହି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିଛନ୍ତି।

Comments are closed.