Latest Odisha News

ବନ୍ୟାରେ ଭାସିଗଲା ପୁରା ମନ୍ଦିର, ହେଲେ ଦେବତାଙ୍କ ମୂର୍ତ୍ତି ଅକ୍ଷୂର୍ଣ୍ଣ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଦାମୋହରେ ନିକଟରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ଗାଁରେ ବନ୍ୟା ପାଣି ପଶିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଘର ପାଣିରେ ଧୋଇ ଯାଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏସବୁ ଭିତରେ ଦାମୋହରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହେବା ସହ ଏହା ଏକ ଚମତ୍କାର ବୋଲି କହିଛନ୍ତି ।

ଦାମୋହ ଜିଲାରେ ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ଚାରିଟି ବ୍ଲକ, ଜାବରା, ତେନ୍ଦୁଖେଡା, ହାଟା ଏବଂ ପାଟରରେ ନଦୀ ଜଳ ପଶି ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ସମୟରେ ଜାବେରା ବ୍ଲକ ଠାରୁ ୩୦ କିଲୋମିଟର ଦୂରରେ ଥିବା ରୋହାନି ଗ୍ରାମ ବନ୍ୟାରେ ବେଶୀ କ୍ଷତିଗ୍ରସ୍ତ ହୋଇଛି । ବର୍ଷା ହେତୁ ଗୁରୁୟା ନଦୀର ଜଳ ସ୍ତର ବୃଦ୍ଧି ପାଇବାରୁ ଗାଁ ଭିତରେ ପାଣି ପଶିଯାଇଥିଲା । ଜଳ ପ୍ରବାହ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର ଗାଁ ଜଳମଗ୍ନ ହେବା ସହ ଅନେକ ଘର ଭାଙ୍ଗି ଯାଇଥିଲା ।

ଏହି ନଦୀ କୂଳରେ ଥିବା ବହୁ ବର୍ଷ ପୁରୁଣା ହନୁମାନ ମନ୍ଦିରରେ ପାଣି ପଶିଯାଇଥିଲା । ପରେ ପାଣି ମାଡ଼ରେ ମନ୍ଦିରଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲା । ଏହାର କାନ୍ଥ ଓ ଲୁହା ଗ୍ରୀଲ ପାଣିରେ ଧୋଇଗଲା । ହେଲେ ମନ୍ଦିର ଭିତରେ ପୂଜା ପାଉଥିବା ପ୍ରଭୁ ହନୁମାନ ସେମିତି ଛିଡ଼ା ହୋଇ ରହିଛନ୍ତି । ବନ୍ୟା ପାଣି ତାଙ୍କର କିଛି ବି କ୍ଷତି କରିପାରି ନାହିଁ । ପ୍ରଭୁ ହନୁମାନଙ୍କ ମୂର୍ତ୍ତିରେ କିଛି କ୍ଷତି ନ ଘଟିଥିବାରୁ ଏହା ଏକ ଚମତ୍କାର ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

Comments are closed.