Latest Odisha News

ଗଞ୍ଜାମରେ ଦମ୍ପତିଙ୍କୁ ଆକ୍ରମଣ ସହ ଲୁଟ, ସୁନା ଚେନ ସହ ଲୁଟିନେଲେ ନଗଦ ୧୦ ହଜାର ଟଙ୍କା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର-ଦଶପଲା ରାସ୍ତାରେ ଦମ୍ପତିଙ୍କୁ ଲୁଟ ଅଭିଯୋଗ । କିଛି ଦୁର୍ବୁତ୍ତ ବାଇକରେ ଆସି ଆକ୍ରମଣ କରିବା ସହ ଦମ୍ପତ୍ତିଙ୍କ ଠାରୁ ଟଙ୍କା, ମୋବାଇଲ ଓ ସୁନା ଚେନ ଲୁଟି ନେଇଛନ୍ତି । ଲୁଟର ଶିକାର ହୋଇଥିବା ଦମ୍ପତ୍ତି ଗରୁଡ ପଥର ଗାଁର ସୁଶାନ୍ତ ସେଠୀ ଏବଂ ତାଙ୍କ ପତ୍ନୀ ନର୍ମଦା । ଦୁର୍ବୁତ୍ତଙ୍କ ଆକ୍ରମଣରେ ସୁଶାନ୍ତ ଆହତ ହୋଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

BjdElectrycity

ଖବର ମୁତାବକ, ସୁଶାନ୍ତ ସେଠୀ ଏବଂ ତାଙ୍କ ପତ୍ନୀ ନର୍ମଦା ଏକ ମୋଟରସାଇକେଲରେ ଭଞ୍ଜନଗର ନିକଟ କୁଲଡ ବଜାରକୁ ଦୀପାବଳି ପାଇଁ କିଛି ପୂଜା ସାମଗ୍ରୀ କିଣିବାକୁ ଯାଇଥିଲେ । ସେମାନେ ଫେରୁଥିବାବେଳେ ପାଞ୍ଚ ଜଣ ଦୁର୍ବୁତ୍ତ ତାରାସିଂ ପୋଲିସ ଷ୍ଟେସନ ଅନ୍ତର୍ଗତ ଭଞ୍ଜନଗର-ଦଶପଲା ମଧ୍ୟରେ ଲେମ୍ବେଇ ବରଦାଣ୍ଡ ରାସ୍ତାରେ ସେମାନଙ୍କୁ ଅଟକାଇଥିଲେ ।

ଏହାପରେ ଉକ୍ତ ଦୁର୍ବୁତ୍ତ ସୁଶାନ୍ତଙ୍କୁ ମାରପିଟ କରିବା ସହ ତାଙ୍କ ନିକଟରେ ଥିବା ନଗଦ ୧୦ ହଜାର ଟଙ୍କା ଓ ମୋବାଇଲ ଫୋନ ଛଡେଇ ନେଇଯାଇଥିଲେ । ଏହା ସହ ପତ୍ନୀ ନର୍ମଦାଙ୍କ ବେକରୁ ସୁନା ଚେନ ମଧ୍ୟ ଭିଡି ନେଇଥିଲେ । ଦୁର୍ବୁତ୍ତମାନେ ସେହି ସ୍ଥାନ ଛାଡିବାକୁ ଚେଷ୍ଟା କରୁଥିବାବେଳେ ପଛରୁ ଆସୁଥିବା ସୁଶାନ୍ତଙ୍କ ପୁଅ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ସେ ଏଥିରେ ଅସଫଳ ହୋଇଥିଲେ । ଏହା ପରେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ସୁଶାନ୍ତଙ୍କ ପୁଅ ତାଙ୍କ ପିତା ମାତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାରେ ଭଞ୍ଜନଗର ଏସଡିପିଓ ବିଶ୍ୱାମିତ୍ର ହରପାଲଙ୍କ ତତ୍ତ୍ବାବଧାନରେ ପୋଲିସ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ଦୁର୍ବୁତ୍ତଙ୍କୁ ଧରିବା ପାଇଁ ଗାଡି ଯାଞ୍ଚ କରିବା ଆରମ୍ଭ କରିଦେଇଛି ।

Leave A Reply

Your email address will not be published.