Latest Odisha News

BREAKING NEWS

ଗ୍ରହ ଶାନ୍ତି ପୂଜା କରିବା ଆଳରେ ଘରୁ ଲୁଟିନେଲେ ସୁନା, ୨ ଗିରଫ

ମାଲକାନଗିରି : ଗ୍ରହ ଶାନ୍ତି ପୂଜା କରିବା ବାହାନାରେ ଘରୁ ସୁନା ଚୋରି । ମାଲକାନଗିରି ଜିଲ୍ଲା ସଦର ମହକୁମା ଜେଲ ସାହିରେ ଜଣଙ୍କ ଘରେ ପୂଜା କରିବା ବାହାନାରେ ସୁନା ଚୋରୀ କରିଥିବା ଦୁଇଜଣ ଚୋରଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ମାଲକାନାଗିରି ଜିଲ୍ଲା ସଦର ମହକୁମା ଜେଲ ସାହିର ଶ୍ରୀଧର ପଟ୍ଟନାୟକଙ୍କ ଶାଶୁ ଓ ଶ୍ୱଶୁର କିଛି ଘରୋଇ ସମସ୍ୟା ନେଇ ଡାବୁଗାଁରେ ଦୁଇଜଣ ପୂଜକଙ୍କୁ ଭେଟିଥିଲେ ।

ଏହି ସମୟରେ ପୂଜକ ଦୁଇ ଜଣ କହିଥିଲେ ତୁମ ଭିଣେଇଙ୍କ ଜୀବନ ପ୍ରତି ବିପଦ ଅଛି । ତାଙ୍କ ମୃତ୍ୟୁ ସୁନିଶ୍ଚିତ ହେବ ବୋଲି କହିଥିଲେ ଏବଂ ଏକ ପୂଜା କଲେ ସମସ୍ତ ଦୋଷ କଟିଯିବ ବୋଲି କହିଥିଲେ । ଏହା ଶୁଣି ଶ୍ରୀଧରଙ୍କ ଶାଶୁ ଶ୍ୱଶୁର ଭିଣୋଇଙ୍କୁ ଫୋନ କରି ପୂଜା କରିବା ପାଇଁ ପ୍ରବର୍ତ୍ତାଇଥିଲେ । ଏହା ପରେ ଗତକାଲି ସନ୍ଧ୍ୟା ସମୟରେ ପୂଜକ ସନ୍ତୋଷ ସାହୁ ଓ ମାନସ ସେନାପତିଙ୍କୁ ସାଙ୍ଗରେ ନେଇ ଶ୍ରୀଧରଙ୍କ ଶାଶୁ ଶ୍ୱଶୁର ମାଲକାନଗିରିରେ ପହଁଞ୍ଚିଥିଲେ ।

ପରେ ଶ୍ରୀଧର ଓ ତାଙ୍କ ପରିବାରକୁ ବିଭିନ୍ନ କଥା କହି ଭୟଭୀତ କରିଥିଲେ । ଶ୍ରୀଧରଙ୍କ ଶୟନ କକ୍ଷରେ ୫ ଘଣ୍ଟା ଧରି ପୂଜା ଚାଲିଥିଲା । ଏହି ପୂଜା ସମୟରେ ପରିବାରର କୌଣସି ସଦସ୍ୟଙ୍କୁ ପୂଜକ କୋଠରୀ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ ।ଏହି କକ୍ଷ ଭିତରକୁ ଗଲେ ଅଳ୍ପ ଦିନ ଭିତରେ ମୃତ୍ୟୁ ହେବ କହି ପରିବାର ସଦସ୍ୟଙ୍କୁ ଭୟଭୀତ କରିଥିଲେ । ଏହି କଥା ଶୁଣି ସମସ୍ତଙ୍କ ଭିତରେ ସନ୍ଦେହ ସୃଷ୍ଟି ହୋଇଥିଲା । କଠୋରୀ ଭିତରକୁ ଯାଇ ଦେଖିବା ବେଳକୁ ଆଲମିରା ଭାଙ୍ଗି ପଡିଥିବା ସହ , ଲୁଗା ଚାରିପଟେ ପଡିଥିଲା , ଆଲମିରା ଭିତରେ ସୂନା ହାର, କାନଫୁଲ , ଚେନ , ମୁଦି , ପାଉଁଜି ଇତ୍ୟାଦି ନଥିଲା ।

ଏହା ପରେ ଉକ୍ତ ପୂଜକ ଦ୍ୱୟଙ୍କୁ ଡକାଯାଇ ପଚରା ଯିବାରୁ ସେମାନେ ଚୋରି କରିନଥିବା କହିଥିଲେ । ପରେ ବାଧ୍ୟ ହୋଇ ଶ୍ରୀଧର ମାଲକାନଗିରି ଆଦର୍ଶ ଥାନାରେ ଏକ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ମାଲକାନଗିରି ପୋଲିସ ଦୁଇଜଣ ଗିରଫ କରିଛି ।

Comments are closed, but trackbacks and pingbacks are open.