ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଶୁକ୍ରବାର ଦିନ ଜଣେ ମହିଳା ରାଜସ୍ୱ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ କାମ କରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ତାଙ୍କଠାରୁ ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ମହିଳା ଆରଆଇ ନିରୁପମା ନାୟକ କରଞ୍ଜିଆ ଥାନା ଅନ୍ତର୍ଗତ ପଟାବିଲା ସ୍ଥିତ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ଦୁଇଜଣ ବ୍ୟକ୍ତି ସେଠାକୁ ଆସିଥିଲେ। ସେମାନେ କିଛି ସରକାରୀ କାମ ବିଷୟରେ ତାଙ୍କୁ ପଚାରିବା ପରେ ସେଠାରୁ ଚାଲିଯାଇଥିଲେ।
ଏହାର କିଛି ସମୟ ପରେ ମୁଖା ପିନ୍ଧା ଦୁଇଜଣ ବ୍ୟକ୍ତି ଆରଆଇ କାର୍ଯ୍ୟାଳୟକୁ ଆସି ଅଧିକାରୀଙ୍କୁ ବନ୍ଧୁକ ଏବଂ ଧାରୁଆ ଅସ୍ତ୍ର ଦେଖାଇ ଧମକଚମକ ଦେଇଥିଲେ। ପରେ ତାଙ୍କଠାରୁ ସୁନା ହାର, କାନଫୁଲ, ମୋବାଇଲ୍ ଫୋନ୍ ଏବଂ ତାଙ୍କ ଦୁଇ ଚକିଆ ଗାଡି଼ର ଚାବି ଛଡ଼ାଇ ନେଇ ପଳାଇ ଯାଇଥିଲେ।
ଏନେଇ କରଞ୍ଜିଆ ତହସିଲଦାରଙ୍କୁ ଅବଗତ କରାଯାଇଥିଲା। ଯାହା ପରେ କରଞ୍ଜିଆର ଭାରପ୍ରାପ୍ତ ତହସିଲଦାର ବେଦବ୍ୟାସ ଭୋଇ, ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠୀଙ୍କ ସହିତ ଆରଆଇଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣା ବିଷୟରେ ପଚାରି ବୁଝିଥିଲେ।
ପରେ କରଞ୍ଜିଆ ଥାନାକୁ ଯାଇ ଅଭିଯୋଗ ମଧ୍ୟ କରିଥିଲେ। ସବ-ଇନ୍ସପେକ୍ଟର ବଳରାମ ମହାରଣାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।
Comments are closed.