Latest Odisha News

BREAKING NEWS

ମିିଳିଲା ନିଖୋଜଙ୍କ ଠିକଣା, ପର୍ଦ୍ଦାଫାସ୍ ହେଲା ୪ ବର୍ଷ ତଳର ଷଡଯନ୍ତ୍ର

ବାରିପଦା: ଏକ ନିଖୋଜ ମାମଲାର ଅଡୁଆ ଖିଅକୁ ସଜାଡିବାରେ ସଫଳ ହୋଇଛି ବାରିପଦା ଟାଉନ୍ ଥାନା ପୋଲିସ । ୪ ବର୍ଷ ପୂର୍ବରୁ ଜଣେ ଯୁବକଙ୍କ ନିଖୋଜ ମାମଲା ସହ ଯୋଡି ହୋଇଛି ହତ୍ୟାକାଣ୍ଡ ଘଟଣା । ଶେଷରେ ବେଶ ନାଟକୀୟ ଢଙ୍ଗରେ ସାମ୍ନାକୁ ଆସିଛି ନିଖୋଜ ମାମଲା ଅସଲ କାହାଣୀ ।

ମିଳିଥିବା ରିପୋର୍ଟ ଅନୁଯାୟୀ ୨୦୧୭ ମସିହା ଅପ୍ରେଲ ମାସରେ ବାରିପଦାର୧୮ ନମ୍ବର ୱାର୍ଡ ବାସିନ୍ଦା ପର୍ଶୁରାମଙ୍କ ପୁଅ ନିଖୋଜ ହେବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ସେ ସମୟରେ ପୁଅ ବିଶ୍ୱଜିତ ବେହେରାଙ୍କର କୌଣସି ପତ୍ତା ନମିଳିବାରୁ ବାପା ପର୍ଶୁରାମ୍ ଅସ୍ତବ୍ୟସ୍ତ ହୋଇପଡିଥିଲେ । ଏହି ଘଟଣାକୁ ୪ ବର୍ଷ ବିତିଗଲା ପରେ ଶେଷରେ ବିଶ୍ୱଜିତଙ୍କ ଠିକଣା ଖୋଜିପାଇବାରେ ସଫଳ ହୋଇଛି ତଦନ୍ତକାରୀ ଦଳ ।

ନିଖୋଜ ବିଶ୍ୱଜିତ ବ୍ୟବହାର କରିଥିବା ମୋବାଇଲ ଜରିଆରେ ଟାଉନା ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ଓ ତାଙ୍କ ଟିମ୍ ଘଟଣାର ପର୍ଦ୍ଦାପାସ କରିବାରେ ସଫଳ ହୋଇଛନ୍ତି । ନିଖୋଜ ବିଶ୍ୱଜିତଙ୍କୁ ହତ୍ୟା କରାଯାଇଥିବା ପୋଲିସ ରିପୋର୍ଟରୁ ଜଣାପଡିଛି । ହତ୍ୟା ମାମଲାରେ ଜଡିତ କୁଳିଅଣା ଥାନା ଅଂଚଳର ନରେନ୍ଦ୍ର ପାତ୍ର ଓ ଝାଡଖଣ୍ଡର ବଂଶୀଧର ପାତ୍ରଙ୍କୁ ପୋଲିସ ଗିରଫ କରିଛି ।

ଜାଣି ଚକିତ ହେବେ ଗିରଫ ଅଭିଯୁକ୍ତମାନେ ସଂପର୍କରେ ଶାଳା ଭିଣୋଇ ହେବେ । ୪ ବର୍ଷ ପୂର୍ବେ ଦୁହେଁ ମିଳିତ ଭାବେ ଟାଟା ଅଂଚଳରେ ଏକ ଗାମୁଛା ଜରିଆରେ ବିଶ୍ୱଜିତଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ବିଶ୍ୱଜିତଙ୍କ ମୃତଦେହକୁ ନିଆଁ ଲଗାଇ ପୋଡିଦେଇଥିଲେ । ଦୁଇ ଅଭିଯୁକ୍ତ ପୋଲିସ ଜେରାରେ ସମସ୍ତ ଖୁଲାସା କରିଛନ୍ତି ।

ଅଧିକ ତଦନ୍ତ ପାଇଁ ବାରିପଦାର ଏକ ପୋଲିସ ଟିମ୍ ଟାଟା ଯାଇଥିବାବେଳେ ଅନୈତିକ ସଂପର୍କକୁ ନେଇ ବିଶ୍ୱଜିତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଟିମର ତଦନ୍ତ ସରିବା ପରେ ପ୍ରେସ୍‌ମିଟ୍ ମାଧ୍ୟମରେ ସମସ୍ତ ସୂଚନା ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଥାନା ଅଧିକାରୀ ।

Leave A Reply

Your email address will not be published.