ଲକ୍ଷ୍ନୌ: ଲକ୍ଷ୍ନୌରେ ଜଣେ ୨୧ ବର୍ଷୀୟ ଯୁବକ ନିଜ ପିତାଙ୍କୁ ନିର୍ମମ ଭାବରେ ହତ୍ୟା ଅଭିଯୋଗରେ ଗିରଫ ହୋଇଛି। ତାଙ୍କ ଭବିଷ୍ୟତ କ୍ୟାରିୟରକୁ ନେଇ ବିବାଦ ହେବାପରେ ଯୁବକ ଜଣକ ନିଜ ପିତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଓ ପରେ ତାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରିବା ସହ ଶରୀରର କିଛି ଅଂଶକୁ ନଷ୍ଟ ମଧ୍ୟ କରିଦେଇଥିବା ରିପୋର୍ଟରୁ ଜଣାପଡ଼ିଛି।
ପୋଲିସ ତାଙ୍କ ଘରେ ଥିବା ଏକ ବ୍ୟାରେଲରେ ଶରୀରର କିଛି ଅଂଶ ପାଇଥିଲେ ଓ ପରେ ତାଙ୍କ ପୁଅ ଅକ୍ଷତ ପ୍ରତାପ ସିଂହଙ୍କୁ ପଚରାଉଚରା କରିବା ପରେ ସତ ଜଣାପଡିଥିବା ପୋଲିସ କହିଛି। ୪୯ ବର୍ଷୀୟ ମଦ ବ୍ୟବସାୟୀ ମାନବେନ୍ଦ୍ର ସିଂହ ଶୁକ୍ରବାରଠାରୁ ନିଖୋଜ ଥିଲେ।
ତାଙ୍କ ପୁଅ ପ୍ରତିଯୋଗିତା ମୂଳକ ପରୀକ୍ଷା ଦେଇ ଡାକ୍ତର ହେଉ ବୋଲି ମାନବେନ୍ଦ୍ର ସିଂହ ଚାହୁଁଥିଲେ କିନ୍ତୁ ପୁଅ ଏହାର ବିରୋଧ କରୁଥିଲା। ଯାହାକୁ ନେଇ ପ୍ରାୟ ସେମାନଙ୍କ ମଧ୍ୟରେ ଝଗଡା ହେଉଥିଲା ଏବଂ ଥରେ ଯୁବକ ଜଣକ ଘରୁ ପଳାଇ ମଧ୍ୟ ଯାଇଥିଲେ।
ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ୪.୩୦ ଯେତେବେଳେ ପୁନଃ ଏନେଇ ବିବାଦ ହୋଇଥିଲା। ସେତେବେଳେ ଅକ୍ଷତ ତାଙ୍କ ବାପାଙ୍କୁ ଏକ ରାଇଫଲ୍ ରେ ଗୁଳି କରିଥିଲେ ଓ ଶବକୁ ତୃତୀୟ ମହଲାରୁ ତଳ ମହଲାକୁ ନେଇ ଏକ ଖାଲି କୋଠରୀରେ ଖଣ୍ଡ ଖଣ୍ଡ କରି କାଟିଥିଲେ। ଏହି ସମୟରେ ତାଙ୍କ ଭଉଣୀ ଏ ସବୁ ଦେଖିଥିଲେ। କିନ୍ତୁ ସେ ତାଙ୍କ ଭଉଣୀକୁ ମଧ୍ୟ ନିରବ ରହିବାକୁ ଧମକ ଦେଇଥିଲେ ଓ ତାଙ୍କ ସାମ୍ନାରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କିଛି ଅଂଶକୁ ପ୍ଲାଷ୍ଟିକରେ ପୁରାଇ ଗୁଡ଼ାଇ ସଦାରୁଣା ନିକଟରେ ଫିଙ୍ଗିଦେଇଥିଲେ। ତେବେ ଶରୀରର ବାକି କିଛି ଅଂଶ ଘର ଭିତରେ ଥିବା ଏକ ନୀଳ ଡ୍ରମ୍ ଭିତରେ ପୁରାଇ ଦେଇଥିଲେ।
ସେ ନିଜର ଅପରାଧ ମାନିବା ପରେ ତାଙ୍କ ଘରକୁ ଏକ ଫୋରେନସିକ୍ ଟିମକୁ ଡକାଯାଇ ନମୁନା ସଂଗ୍ରହ କରାଯିବା ସହ ଶରୀରର ଅଂଶଗୁଡ଼ିକୁ ଠାବ କରିବା ପାଇଁ ମଧ୍ୟ ପ୍ରୟାସ ଚାଲିଛି। ବର୍ତ୍ତମାନ ଅକ୍ଷତ ପୋଲିସ ହେପାଜତରେ ରହିଥିବା ବେଳେ ଏହି ମାମଲାକୁ ନେଇ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି।