Latest Odisha News

ମିଶନ ଇନ୍ଦ୍ରଧନୁଷ ଟିକାକରଣ କାର୍ଯ୍ୟକ୍ରମ: ୧.୨ ଲକ୍ଷ ଶିଶୁ, ୨୩,୫୦୦ ଗର୍ଭବତୀ ମହିଳାଙ୍କୁ ଟିକାକରଣ ଲକ୍ଷ୍ୟ

ଭୁବନେଶ୍ୱର: ମିଶନ ଇନ୍ଦ୍ରଧନୁଷ ଟିକାକରଣ କାର୍ଯ୍ୟକ୍ରମ ସାରା ଓଡିଶାରେ ଆରମ୍ଭ ହୋଇଛି। ୫ ବର୍ଷରୁ କମ୍ ବୟସର ୧ ଲକ୍ଷ ୨୩ ହଜାର ୪୭୨ ଶିଶୁ ଓ ୨୩ ହଜାର ୫୬୮ ଗର୍ଭବତୀ ମହିଳାଙ୍କୁ ଏହି ଟିକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୧ରୁ ଆରମ୍ଭ ହୋଇ ନଭେମ୍ବର ୧୧ ଯାଏଁ ୩ଟି ପର୍ଯ୍ୟାୟରେ ଚାଲିବ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ଯେଉଁ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଏଯାଏଁ ଟିକାକରଣ କରାଯାଇନାହିଁ କିମ୍ବା ଆଂଶିକ ଟିକାକରଣ ପରେ ବନ୍ଦ କରିଦିଆଯାଇଛି ସେମାନଙ୍କୁ ଚିହ୍ନଟ କରି ଟିକାକରଣ କରିବା ଏହି ମିଶନର ଉଦ୍ଦେଶ୍ୟ।

ମିଶନର ପ୍ରଥମ ଦିନରେ ଅର୍ଥାତ ସୋମବାର ୧୨,୦୩୯ ଶିଶୁ ଓ ୨,୩୪୨ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି। ଏହି ଟିକାକରଣ ପ୍ରାୟ ୪,୦୬୭ ଅଧିବେଶନରେ କରାଯାଇଥିଲା। ଏହି ଟିକାକରଣ ପାଇଁ ବିଭାଗ ପ୍ରାୟ ୨୬,୦୦୦ ସେସନ ଚିହ୍ନଟ କରିଛି। ସମସ୍ତ ରାଉଣ୍ଡ ଶେଷ ସୁଦ୍ଧା ଲକ୍ଷ୍ୟ ପୂରଣ ହେବ ବୋଲି ଆଶା କରାଯାଉଛି। ସମସ୍ତ ଅଭିଭାବକ ଓ ଗର୍ଭବତୀ ମହିଳାମାନେ ଆଗକୁ ଆସି ଟିକା ନେବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି।

Comments are closed.