Latest Odisha News

ମିଶନ ଶକ୍ତିରେ ଏଣିକି ୫ ଲକ୍ଷ ପର୍ଯ୍ୟନ୍ତ ଋଣରେ ଦେବାକୁ ପଡ଼ିବନି ସୁଧ

ଭୁବନେଶ୍ୱର: ମିଶନ ଶକ୍ତି ମା’ ମାନଙ୍କ ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଶନ ଶକ୍ତି ମା ମାନଙ୍କୁ ୩ ଲକ୍ଷ ଟଙ୍କା ପରିବର୍ତ୍ତେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ। ଏ ନେଇ ରାଜ୍ୟ ସରକାର ଆଜି ନିଷ୍ପତ୍ତି ନେଇଛନ୍ତି।୨୦୨୨ ଏପ୍ରେଲ ପହିଲାରୁ ଏହି ନୂଆ ଋଣ ବ୍ୟବସ୍ଥା ପିଛିଲା ଭାବେ ଲାଗୁ ହେବ। ଆଗାମୀ ୫ ବର୍ଷରେ ଏଥିପାଇଁ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହାଦ୍ବାରା ଆମର ମିଶନ ଶକ୍ତି ମା ମାନେ ଏସ୍‌ଏଚଜିରୁ ଏସ୍‌ଏମ୍‌ଇ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏବଂ ଆମର ଲକ୍ଷ ଲକ୍ଷ ମା ମାନେ ଅଧିକ ଟଙ୍କାର ଋଣ ନେଇ ବଡ ବଡ ବ୍ୟବସାୟ କରିପାରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶାର ରୂପାନ୍ତର କ୍ଷେତ୍ରରେ ମା ମାନେ ହେଉଛନ୍ତି ଏକ ଅଭିନ୍ନ ଅଙ୍ଗ। ଆଜିର ଏହି ନିଷ୍ପତ୍ତି ସେମାନଙ୍କୁ ସଶକ୍ତ କରିବାରେ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।

ରାଜ୍ୟ ସରକାର ମିଶନ ଶକ୍ତି ମା ମାନଙ୍କୁ ଗତ ୩ ବର୍ଷରେ ସରକାରୀ ଭାବରେ ୪୦୦୦ କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହିତ ଗତ ୫ ବର୍ଷରେ ମିଶନ ଶକ୍ତି ମା ମାନଙ୍କୁ ୧୭ ହଜାର କୋଟିରୁ ଅଧିକ ଟଙ୍କାର ଋଣ ଯୋଗାଇ ଦିଆଯାଇଛି।

ଏବେ ମିଶନ ଶକ୍ତି ମା ମାନଙ୍କୁ ଉତ୍ସାହିତ କରିବାପାଇଁ ଓଡିଶା ସରକାର ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ଚାରି ଲକ୍ଷ ଏସଏଚଜି ଗ୍ରୁପର ବ୍ୟାଙ୍କ ଖାତାକୁ ରାଜ୍ୟ ସରକାର ୫୦୦ କୋଟି ଟଙ୍କାର ସୁଧ ଫେରାଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୦ ଜୁନ୍‌ ୧ ତାରିଖରେ ମିଶନ ଶକ୍ତି ବିଭାଗ ପ୍ରତିଷ୍ଠା କରାଯାଇ ରାଜ୍ୟର ସବୁ ଏସ୍‌ଏଚଜି କାର୍ଯ୍ୟକ୍ରମକୁ ଗୋଟିଏ ବିଭାଗ ଅଧୀନରେ ରଖାଯାଇଥିଲା।

Comments are closed.