Latest Odisha News

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ: ୫୪ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କଲେ ମିଶନ ଶକ୍ତି ମା’

ଭୁବନେଶ୍ୱର: ‘ଆଜାଦୀ କା ଅମୃତ  ମହୋତ୍ସବ’ ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ଭାରତୀୟ ପରିବାରଙ୍କୁ ୦୯ ରୁ ୧୫ ଅଗଷ୍ଟ ମଧ୍ୟରେ ନିଜ ଘରେ ତ୍ରିରଙ୍ଗା  ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି ମୋଦୀ | ଏହି ଉପଲକ୍ଷେ ମିଶନ ଶକ୍ତି ମା’ମାନେ ୫୪ ଲକ୍ଷ ତ୍ରିରଙ୍ଗା  ପ୍ରସ୍ତୁତ କରିଛନ୍ତି । ଏଥିରେ ଖୁସିବ୍ୟକ୍ତ କରିବା ସହ ମିଶନ ଶକ୍ତି ମା ମାନଙ୍କୁ ଉତ୍ସାହିତ କରିବା ପାଇଁ ‘ହର୍ ଘର୍ ତ୍ରିରଙ୍ଗା’ ପାଇଁ ତ୍ରିରଙ୍ଗା ପ୍ରସ୍ତୁତି କେବଳ ଏକ ଦାୟିତ୍ୱର ସୁପରିଚାଳନା  ନୁହଁ, ବରଂ ‘ଆତ୍ମନିର୍ଭର ଭାରତ’ର ଆତ୍ମନିର୍ଭରଶୀଳ ମହିଳାମାନଙ୍କ ପରିଚୟ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ସ୍ୱାଧୀନତା ଦିବସର ଶୁଭ ଅବସର ନିମନ୍ତେ ମିଶନ ଶକ୍ତି ସଦସ୍ୟାମାନେ ଏଥର ମଧ୍ୟ ନିଜ କୌଶଳ, ଦକ୍ଷତା ଓ ଦେଶ ପ୍ରତି ଥିବା ଦୃଢ଼ ସମର୍ପଣଭାବ ପ୍ରଦର୍ଶନ କରିଛନ୍ତି । ଚଳିତ ବର୍ଷ ଏହି ସଦସ୍ୟାମାନେ ୫୪ ଲକ୍ଷ ତିରଙ୍ଗା ପ୍ରସ୍ତୁତି କରୁଛନ୍ତି । ଅଗଷ୍ଟ ମାସ ସୁଦ୍ଧା ସମସ୍ତ ତ୍ରିରଙ୍ଗା ବଣ୍ଟନ ନିମନ୍ତେ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ମିଶନ ଶକ୍ତି ବିଭାଗର କମିସିନର ତଥା ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ ।

ସୂଚନାଯୋଗ୍ୟ କି, ୨୦୨୨ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ ମିଶନ ଶକ୍ତି ସଦସ୍ୟାମାନଙ୍କର ଉଦ୍ୟୋଗିତା ଏବଂ ଟେଲରିଂ ପାଇଁ ପ୍ରତିଷ୍ଠିତ ବ୍ୟାପକ ଭିତ୍ତିଭୁମିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ସଦସ୍ୟାଙ୍କୁ ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିବାର ଦାୟିତ୍ୱ ପ୍ରଦାନ କରିଥିଲେ । ମା’ ମାନେ ମଧ୍ୟ ସେମାନଙ୍କର ଉତ୍ସର୍ଗୀକୃତ ଭାବନା ଏବଂ ଦକ୍ଷତା ବଳରେ ସମୟାନୁବର୍ତ୍ତୀ ଭାବେ ନିଜ ଲକ୍ଷ୍ୟ ପୂରଣ କରିଥିଲେ । ସେହି ଅଭିଜ୍ଞତାକୁ ବ୍ୟବହାର କରି ମିଶନ ଶକ୍ତି ସଦସ୍ୟାମାନେ ଏହି ସଫଳତାକୁ ୨୦୨୩ରେ ଦୋହରାଇଥିଲେ ଏବଂ ୪୪.୨ଲକ୍ଷ ତିରଙ୍ଗା ପ୍ରସ୍ତୁତି କରିଥିଲେ |

Comments are closed.