ଭୁବନେଶ୍ୱର: ଆଗକୁ ଓଡ଼ିଶା କ୍ରିକେଟ ଆସୋସିଏସନର ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ବିଧାୟକ ତଥା ରାଜ୍ୟର ଦ୍ବିତୀୟ କ୍ଷମତା କେନ୍ଦ୍ର ପ୍ରଣବ ପ୍ରକାଶ ଦାସଙ୍କ ନାଁ ଓସିଏ ଭୋଟର ତାଲିକାରେ ଦେଖିବାକୁ ମିିଳିଛି। ଯାହାକୁ ନେଇ ଯାଜପୁରର ଏହି ବିଧାୟକ ଏବେ ରାଜନୀତି ପରେ କ୍ରିକେଟ ଉପରେ ନିଜର ନିୟନ୍ତ୍ରଣ ରଖିବାକୁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି।
ବିଧାୟକ ପ୍ରଣବ ପ୍ରକାଶ ଦାସ ପୂର୍ବରୁ କେବେ ତାଙ୍କ ନାଁ ଓସିଏ ଭୋଟର ତାଲିକାରେ ନଥିଲା। ଏଥର କିନ୍ତୁ ସେ ଯାଜପୁର କ୍ରିକେଟ ଆସୋସିଏସନରୁ ନେତୃତ୍ବ କରୁଛନ୍ତି ତେଣୁ ତାଙ୍କ ନାଁ ଓସିଏ ଭୋଟର ତାଲିକାରେ ପ୍ରକାଶ ପାଇଛି। ଯାଜପୁର କ୍ରିକେଟ ଆସୋସିଏନ କହିଛି, ବିଧାୟକଙ୍କର ଅବଦାନ ଯାଜପୁର କ୍ରିକେଟ ପ୍ରତି ଅନେକ ରହିଛି। ସେ ଜଣେ ଦକ୍ଷ ନେତା ଏବଂ ଏକାଥରେ ଅନେକ କାମକୁ ସଠିକ ଭାବେ ପରିଚାଳନା କରିବାର ଦକ୍ଷତା ମଧ୍ୟ ରହିଛି। ତେଣୁ ସେ ଯାଜୁପର କ୍ରିକେଟ ଆସୋସିଏସନର ନେତୃତ୍ୱ ନେଉଛନ୍ତି।
ଆଗାମୀ ୨୮ରେ ଓସିଏ ନିର୍ବାଚନ ରହିଛି। ମୋଟ୍ ୭୩ ଜଣ ତାଲିକା ମଧ୍ୟରେ ପ୍ରଣବଙ୍କ ନାଁ ପ୍ରକାଶ ପାଇବା ପରେ ଆଗାମୀ ଦିନରେ ଓସିଏର କୌଣସି ବଡ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିପାରେ। ୨୦୧୯ରେ ଅନ୍ତିମ ଥର ନିର୍ବାଚନ ହୋଇଥିଲା। ଏହି ସମୟରେ ଓସିଏ ସଭାପତି ଭାବେ ପଙ୍କଜ କୁମାର ମହାନ୍ତି ଏବଂ ସଞ୍ଜୟ ବେହେରା ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଆଉ ପରାଜିତ ହୋଇଥିଲେ ପଙ୍କଜ କୁମାର ଏବଂ ନବ ପଟ୍ଟନାୟକ।
ଓସିଏର ପୂର୍ବତନ କୋଷାଧ୍ଯକ୍ଷ ବିଶୁ ମୂଖାର୍ଜୀ କହିଛନ୍ତି, ପ୍ରଣବ ପ୍ରକାଶ ଦାଶ ଓସିଏର ଜଣେ କେବଳ ସଦସ୍ୟ ହେବାକୁ ଆସିନାହାନ୍ତି। ସେ ଜଣେ ରାଜନୀତିରେ ରହିଛନ୍ତି। ଓସିଏ ବାହାରେ ରହି ମଧ୍ୟ କଂଟ୍ରୋଲ କରିପାରିଥାନ୍ତେ। ପୂର୍ବରୁ ହୋଇଥିବା ନିର୍ବାଚନରେ ତାଙ୍କ ଗୋଷ୍ଠୀର ଲୋକ ହାରିଥିଲେ।
ସେହିପରି ଓସିଏ କାଉନସିଲ ସଦସ୍ୟ ବ୍ରଜ ନନ୍ଦ କହିଛନ୍ତି, ବବି ବାବୁ ହୁଏତ ଓସିଏ ସଭାପତି ହୋଇପାରନ୍ତି। ଏହି ପଦରେ ରହି ସେ କ୍ରିକେଟକୁ ନିଜ ନିୟନ୍ତ୍ରଣକୁ ନେଇପାରିବେ। ଅନ୍ୟପଟେ ସେ ରାଜନୀତିରେ ସକ୍ରିୟ ଥିବାରୁ ଏହାର ଫାଇଦା ସେ ନେଇପାରିବେ।
କିନ୍ତୁ ପ୍ରଶ୍ନ ଉଠୁଛି ଦୀର୍ଘ ଦିନ ହେବ ଓସିଏରେ ନିଜର ପତିଆରା ରଖିଥିବା ଆଶୀର୍ବାଦ ବେହେରା ଏବେ ପ୍ରଣବଙ୍କୁ ଗ୍ରହଣ କରିବେ ତ?
ତେବେ ଭାରତରେ ନେତା କ୍ରିକେଟ ପ୍ରଶାସନ ଉପରେ ଆଖି ପକାଇବା କିଛି ନୂଆ କଥା ନୁହେଁ। ଏବେ ବିସିସିଆଇ ସଚିବ ଜୟ ଶାହ ହେଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ। ସେହିପରି ପୂର୍ବରୁ ଅରୁଣ ଜେଟଲୀ ମଧ୍ୟ ବିସିସିଆଇରେ ଥିଲେ। ଏବେର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ବିସିସିଆଇ ସହିତ ଜଡିତ ଥିଲେ।
Comments are closed.