Latest Odisha News

BREAKING NEWS

ନବୀନ ନିବାସଠୁ ଅଳ୍ପ ଦୂରରେ ସଂଘବଦ୍ଧ ଆକ୍ରମଣ, ପୋଲିସ ପାଟ୍ରୋଲିଂ ଉପରେ ଉଠିଲା ପ୍ରଶ୍ନବାଚୀ

ଭୁବନେଶ୍ୱର: ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଭୁବନେଶ୍ୱର ଏୟାରପୋର୍ଟ ଛକ ନିକଟରେ ୨୦ରୁ ୩୦ ଜଣ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରିଛନ୍ତି। ରାକା ଓ ଶିବା ନାମକ ଯୁବକ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ଉଭୟ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଜମି ଜମା ବିବାଦରୁ ଏହି ଆକ୍ରମଣ ହୋଇଥିବା ପ୍ରାରମ୍ଭିକ ସୂଚନା ରହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ଆକ୍ରମଣ ଏକ ବଲିଉଡ୍ ଆକ୍ସନ୍ ଫିଲ୍ମର ଦୃଶ୍ୟ ପରି ଘଟିଥିଲା। ଏୟାରପୋର୍ଟ ଛକରେ ଧାରୁଆ ଅସ୍ତ୍ରଶସ୍ତ୍ର ଧରି ପ୍ରାୟ ୨୫ ଜଣ ଯୁବକ ଓହ୍ଲାଇଆସିଥିଲେ ପରେ ଆକ୍ରମଣର ଶିକାର ଦୁଇ ଯୁବକଙ୍କୁ ଲହୁ ଲୁହାଣ କରିଥିଲେ। ସେଠାରେ ଲୋକେ ଉପସ୍ଥିତ ଥିବା ସତ୍ତ୍ୱେ କେହି ହସ୍ତକ୍ଷେପ କରିବାକୁ ସାହସ କରିନଥିଲେ। ଶେଷରେ କିଛି ସାହସୀ ବ୍ୟକ୍ତି ଆଗେଇ ଆସି ହସ୍ତକ୍ଷେପ କରି ଗୁରୁତର ଆହତ ଯୁବକଙ୍କୁ ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଆକ୍ରମଣକାରୀଙ୍କୁ ଧରିବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି।

ମିଳିଥିବା ସୂଚନା ଅନୁସାରେ ଏୟାରପୋର୍ଟ ଟ୍ରାଫିକ ଛକରୁ ପଳାଶପଲ୍ଲୀ ରାସ୍ତା ମଧ୍ୟରେ ଏହି ଲଙ୍କାକାଣ୍ଡ ଘଟିଥିଲା। ଦୁଇ ଯୁବକ ଶିବା ଓ ରାକା ଗାଡ଼ି ଡ୍ରାଇଭ୍‌ ସେଲ୍‌ ବେପାର କରୁଥିବା ଲୋକଙ୍କୁ ସେଠାରେ ଜବର ଦଖଲ ହଟାଇବାକୁ କହିଥିଲେ । ଏହି ସମୟରେ ପୂର୍ବ ଯୋଜନା ମୁତାବକ କିଛି ସ୍ଥାନୀୟ ଯୁବକ ଓ ଭଡ଼ାଟିଆ ଗୁଣ୍ଡା ପାଖାପାଖି ୩୦ ଜଣ ଏକାଠି ହୋଇ ଉଭୟ ରାକା ଓ ଶିବାଙ୍କୁ ଆକ୍ରମଣ କରିଥିଲେ ।

ତେବେ ଏହି ଘଟଣା ଯେଉଁଠି ଘଟିଛି ସେଇଠୁ ମୁଖ୍ଯମନ୍ତ୍ରୀଙ୍କ ବାସଭବନର ଦୂରତା ଶହେ ମିଟର ଭିତରେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଏକ ହାଇସିକ୍ୟୁରିଟି ଜୋନ ଭିତରେ ଆସୁଛି। ରାଜଧାନୀରେ ରାତି ନଅଟା ବେଳେ ଏଭଳି ଏକ ଘଟଣା ଘଟୁଛି ଯେଉଁଠି ପୋଲିସ ଦୁର୍ବୃତ୍ତକୁ ଘଟଣାସ୍ଥଳରୁ କାବୁ କରିବାରେ ବିଫଳ ହେଉଛି। ଯାହା ପାଟ୍ରୋଲିଂ ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।

Comments are closed.