Latest Odisha News

ଗ୍ରାମାଞ୍ଚଳରେ ମୋବାଇଲ୍ ନେଟୱର୍କ ଓ ଇଣ୍ଟରନେଟ୍ ସୁବିଧାକୁ ସୁଦୃଢ଼ କରାଯିବ: ଆଇଟି ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଗ୍ରାମାଞ୍ଚଳରେ ମୋବାଇଲ୍ ନେଟୱର୍କ ଓ ଇଣ୍ଟରନେଟ୍ ସୁବିଧାକୁ ସୁଦୃଢ଼ କରାଯିବ। ଏ ଦିଗରେ ରାଜ୍ୟ ସରକାର କାର୍ଯ୍ୟ କରିବେ ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କହିଛନ୍ତି।

ବିଭାଗର କାର୍ଯ୍ୟକଳାପର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟକୁ ନୂଆ ଆଇଟି କମ୍ପାନୀମାନଙ୍କୁ ଆକୃଷ୍ଟ କରିବା ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି କ୍ଷେତ୍ରରେ ନିବେଶକଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପ୍ରାଥମିକତା ଦିଆଯିବ। ଏହାବ୍ୟତୀତ କର୍ମଶାଳା, ସମ୍ମିଳନୀ, ସଭା ଓ ଭର୍ଚୁଆଲ ସାହିତ୍ୟ ଆଲୋଚନା ଆୟୋଜନ କରି ଓଡ଼ିଆ ଭର୍ଚୁଆଲ୍ ଏକାଡେମୀକୁ ଲୋକପ୍ରିୟ କରିବା ଦିଗରେ ସକ୍ରିୟ ପଦକ୍ଷେପ ନିଆଯିବ।

ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ ସରକାର ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ଏହି ସରକାର ସାଧାରଣ ଲୋକଙ୍କ ସରକାର। ପ୍ରଶାସନରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ସାଧାରଣ ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ନେବେ।

ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ଇନିସିଏଟିଭ୍ ର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବ ଏବଂ ତୃଣମୂଳ ସ୍ତରରେ ସମସ୍ତ କଲ୍ୟାଣକାରୀ ଯୋଜନାକାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବ ବୋଲି ସେ କହିଛନ୍ତି।

ବୈଠକରେ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ଓସିଏସି-କମ-ଅତିରିକ୍ତ ସଚିବ ଇଆଣ୍ଡଆଇଟି ବିଭାଗ ର ଅତିରିକ୍ତ ସଚିବ ମନୋଜ ପଟ୍ଟନାୟକ ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.