Latest Odisha News

BREAKING NEWS

ଉପସ୍ଥାନ କମ୍ ଥିବା ଦର୍ଶାଇ ବନ୍ଦ ହେଲା ସ୍କୁଲ୍ , ୫-ଟି ପଦକ୍ଷେପ ଉପରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ଥିବା ଦର୍ଶାଇ ଗୋଟିଏ  ୫-ଟି ସ୍କୁଲ ବନ୍ଦ କରିଛନ୍ତି ସରକାର। ରାଜଧାନୀର ୟୁନିଟ୍-୨ସ୍ଥିତ ଏହି ସରକାରୀ ଉଚ୍ଚ ବିଦ୍ୟାଳୟର ନବୀକରଣ କରାଯାଇ ୪୫ ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୫କୁ ହ୍ରାସ ପାଇବା ପରେ ଏହାକୁ ବନ୍ଦ କରି ଦିଆଯାଇଛି।

ଚିରାଚରିତ ଶ୍ରେଣୀଗୃହକୁ ସ୍ମାର୍ଟ ଶ୍ରେଣୀଗୃହରେ ପରିଣତ କରିବା ସହ କ୍ୟାମ୍ପସ ସହିତ କୋଠାଘରକୁ ନୂଆ ରୂପ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସ୍କୁଲରେ ଉପସ୍ଥାନ କମ୍ ଥିବା ଦର୍ଶାଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲକୁ ବନ୍ଦ କରିଦିଆଯାଇଛି। ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀ ଥିଲେ ମଧ୍ୟ ମାଟ୍ରିକ ପରୀକ୍ଷା ପରେ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମାତ୍ର ୩୫କୁ ହ୍ରାସ ପାଇଥିଲା। ସମାନ ସ୍ଥିତି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଏପରି ହେବା ସରକାରୀ ଟଙ୍କାର ସଠିକ୍ ବିନିଯୋଗ ହୋଇପାରୁନଥିବା ଦେଖିବାକୁ ମିଳିଛି।

ଦୁର୍ବଳ ଉପସ୍ଥାନ ଥିବା ସ୍କୁଲରେ ଟଙ୍କା ଖର୍ଚ୍ଚ କରି ତା’ପରେ ବନ୍ଦ କରିବା ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠିଛି। ସରକାର ଏହି ଅର୍ଥକୁ ଗୋଟିଏ ବନ୍ଦ ହେଉଥିବା ବିଦ୍ୟାଳୟରେ ଖର୍ଚ୍ଚ ନକରି ଅନ୍ୟ କେଉଁଥିରେ ବ୍ୟବହାର କରିପାରନ୍ତେ।

ଏହାର ଜବାବରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ଆଗାମୀ ଦିନରେ ସ୍କୁଲରେ ଉପସ୍ଥାନ କମ୍ ଥିବା ସ୍କୁଲକୁ ବନ୍ଦ କରାଯିବ।

ସୂଚନାୟୋଗ୍ୟ ଯେ, ମନ୍ତ୍ରୀ ସମୀର ଦାଶ ବିଧାନସଭାକୁ ସୂଚନା ଦେଇଥିଲେ ଯେ, ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଯଥାକ୍ରମେ ୫-ଟି ଅଧୀନରେ  ସ୍କୁଲ ଗୁଡିକୁ ନବୀକରଣ ପାଇଁ ୧୦୭୫, ୩୪୬୧ ଓ ୨୩୩୬ଟି ବିଦ୍ୟାଳୟ ଚିହ୍ନଟ କରାଯାଇଛି। ହେଲେ କେଉଁ ଆଧାରରେ ଏହି ସ୍କୁଲ ଗୁଡିକର ନବୀକରଣ ହେବ ତାହାର ମାନଦଣ୍ଡ ସ୍ପଷ୍ଟ କରାଯାଇ ନାହିଁ। ଯଦି ବିନା ଦୂରଦୃଷ୍ଟିରେ ଏହିପରି ଭାବେ ସ୍କୁଲ ଗୁଡିକର ନବୀକରଣ କରାଯାଉଥିବ ଏବଂ ବନ୍ଦ ହୋଇଚାଲିବ ତାହେଲେ ଏହା ରାଜ୍ୟ ରାଜକୋଷର ଟଙ୍କାକୁ ଉଡାଇବା ଛଡା ଆଉ କିଛି ହେବନାହିଁ।

Comments are closed.