Latest Odisha News

ମୋଦି ୩.୦…ସର୍ତ୍ତ ଲାଗୁ

ଭୁବନେଶ୍ବର: କେନ୍ଦ୍ରରେ ପୁଣି ମୋଦି ସରକାର। ଏନଡିଏ ସଂସଦୀୟ ଦଳ ନେତା ହୋଇଛନ୍ତି ନରେନ୍ଦ୍ର ମୋଦି । ଚନ୍ଦ୍ରବାବୁ ନାଇଡୁ, ନୀତିଶ କୁମାର ତାଙ୍କୁ ସମର୍ଥନ ଜଣାଇଛନ୍ତି । ଆସନ୍ତା ରବିବାର ପୁଣି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ବିଜେପିକୁ ଏକାକୀ ଏଥର ବହୁମତ ମିଳିନଥିବା ବେଳେ ମେଣ୍ଟ ସହଯୋଗୀଙ୍କ ସହାରାରେ ସରକାର ଗଠନ ହେଉଛି । ବିଜେପିକୁ ୨୪୦ଟି ସିଟ୍ ମିଳିଥିବା ବେଳେ ମେଣ୍ଟ ସହଯୋଗୀଙ୍କୁ ମିଳିଛି ୫୩ଟି ସିଟ୍ । ଗତ ଦୁଇଥର ବିଜେପିକୁ ଏକାକୀ ବହୁମତ ମିଳିଥିବା ବେଳେ ଏଥର ସରକାର ମେଣ୍ଟ ସାହାରାରେ ଚାଲିବ। ତେଣୁ ବିଜେପି ପାଇଁ ସହଜ ହେବନି ମୋଦି ସରକାର ୩.୦ ।

ମେଣ୍ଟ ଗଣିତ ମନ୍ତ୍ରୀପଦ ମୁଣ୍ଡବିନ୍ଧା

୨୦୧୪ରେ ୨୮୨ଟି ସିଟ୍ ଓ ୨୦୧୯ରେ ୩୦୩ଟି ସିଟ୍ ଜିତିଥିଲା ବିଜେପି । ଏନଡିଏ ସରକାର ଗଢିଥିଲା, ହେଲେ ମେଣ୍ଟ ଚାପ ନଥିଲା । ମେଣ୍ଟ ସହଯୋଗୀଙ୍କୁ ବିନା କୌଣସି ଚାପରେ ମନ୍ତ୍ରୀପଦ ବାଣ୍ଟିଥିଲା ବିଜେପି । ହେଲେ ଏବେ ମନ୍ତ୍ରୀ ପଦ ଓ ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଁ ଦାବି ହେଲାଣି। ବାଚସ୍ପତି ପଦ ବି ମାଗିଲେଣି ସହଯୋଗୀ । ଏନଡିଏର ବଡ଼ ସହଯୋଗୀ ପ୍ରତି ୪ଜଣ ସାଂସଦରେ ଗୋଟିଏ ମନ୍ତ୍ରୀପଦ ଫର୍ମୂଲାରେ ଦାବି କରୁଛନ୍ତି । ୧୬ସିଟ୍ ଥିବା ଟିଡିପି ୪ଟି ମନ୍ତ୍ରୀପଦ ଚାହୁଁଛି ତ ୧୨ସିଟ୍ ଜିତିଥିବା ଜେଡିୟୁ ୩ଟି, ୭ ସାଂସଦ ଥିବା ଏକନାଥ ସିନ୍ଦେଙ୍କ ଶିବସେନା ୨ଟି, ୫ସାଂସଦ ଥିବା ଚିରାଗ ପାଶଓ୍ବାନଙ୍କ ଦଳ ୨ଟି ମନ୍ତ୍ରୀପଦ ଚାହୁଁଛନ୍ତି । ୨ଜଣ ଲେଖାଏଁ ସାଂସଦ ଜିତିଥିବା ଆରଏଲଡି ଓ ଜେଡିଏସ୍ ବି ଗୋଟିଏ ଲେଖାଏଁ ମନ୍ତ୍ରୀପଦ ମାଗୁଛନ୍ତି । ଏପରିକି ଏକା ଜିତିଥିବା ଜିତନ ରାମ ମାଞ୍ଝୀ ବି ମନ୍ତ୍ରୀପଦ ଚାହୁଁଛନ୍ତି । ଗତ ଦୁଇଟି ଟର୍ମରେ ସହଯୋଗୀଙ୍କୁ ନିଜ ଇଚ୍ଛାରେ ମନ୍ତ୍ରୀପଦ ବାଣ୍ଟୁଥିବା ବିଜେପି ଏଥର ମେଣ୍ଟ ସହଯୋଗୀଙ୍କ ଦାବିକୁ ନେଇ କ୍ୟାବିନେଟ୍ ଗଣିତ କଷିବ ।

କାହାକୁ କେଉଁ ବିଭାଗ ?

କୁହାଯାଉଛି, ପ୍ରତିରକ୍ଷା, ଅର୍ଥ, ଗୃହ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ନିଜ ପାଖରେ ରଖିବ ବିଜେପି । ଏଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ କୌଣସି ମେଣ୍ଟ ସହଯୋଗୀକୁ ଦେବନାହିଁ। ତେବେ ଅର୍ଥ ଓ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ହୋଇପାରନ୍ତି ସହଯୋଗୀ । ସେହିପରି ଗରିବ କଲ୍ୟାଣ, ଯୁବ ବ୍ୟାପାର, କୃଷି ଭଳି ପ୍ରସଙ୍ଗ ବିଜେପି ଫୋକସରେ ରହିଥିବାରୁ ଏସବୁ ବିଭାଗ ବି ନିଜ ପାଖରେ ରଖିପାରେ ବିଜେପି । ରେଳବାଇ, ସଡକ ପରିବହନ ଭଳି ବିଭାଗ ସହଯୋଗୀଙ୍କୁ ଦେଇ ବିକାଶର ଗତି କମାଇବାକୁ ଚାହିଁବନି ଦଳ । ଟିଡିପି ଲୋକସଭା ବାଚସ୍ପତି ପଦ ଚାହୁଁଛି, ତେବେ ଏଥିପାଇଁ ବି ପ୍ରସ୍ତୁତ ନାହିଁ ବିଜେପି । ଟିଡିପି ଦାବିରେ ଅଟଳ ରହିଲେ ଉପବାଚସ୍ପତି ପଦ ଦିଆଯାଇପାରେ । ତେବେ ଅଟଳ ବିହାରୀ ବାଜପେୟୀ ସରକାରରେ ଲୋକସଭା ବାଚସ୍ପତି ପଦ ଟିଡିପିକୁ ଦିଆଯାଇଥିଲା । ପଞ୍ଚାୟତିରାଜ ଓ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଜେଡିୟୁକୁ ଯାଇପାରେ ।

ଚିନ୍ତା ବଢାଇବ ମେଣ୍ଟ ଚାପ !

କେବଳ ବିଭାଗ ବଣ୍ଟନ ନୁହେଁ, ଏଥର ମେଣ୍ଟ ସରକାରରେ ବଡ ନିଷ୍ପତ୍ତି ନେବାରେ ବି ବିଜେପି ପାଇଁ ସମସ୍ୟା ରହିପାରେ । ଗତ ଦୁଇଟି ଟର୍ମରେ ସରକାରରେ କୌଣସି ନିଷ୍ପତ୍ତି ନେବାରେ ବି ଦ୍ବନ୍ଦ୍ବ ନଥିଲା । କାରଣ ବହୁମତ ସଂଖ୍ୟା ବିଜେପି ପାଖରେ ଥିଲା । ହେଲେ ଏବେ କୌଣସି ବିଲ୍ ପାସ କରିବା ପୂର୍ବରୁ ମେଣ୍ଟ ସହଯୋଗୀଙ୍କ ସହମତି ନେବାକୁ ପଡିବ । ସହଯୋଗୀଙ୍କ ସହ ତାଳମେଳ ମେଣ୍ଟ ସରକାରର ସ୍ଥାୟୀତ୍ବ ପାଇଁ ଜରୁରୀ। କେବଳ ସେତିକି ନୁହେଁ ବିଭିନ୍ନ ପ୍ରସଙ୍ଗରେ ବିରୋଧର ବି ସାମନା କରିବାକୁ ପଡିପାରେ । ଅଗ୍ନିବୀର ଯୋଜନାରେ ପରିବର୍ତ୍ତନ ପାଇଁ ଦାବି କରିପାରନ୍ତି ଜେଡିୟୁ ଓ ଏଲଜେପି । ସେହିପରି ଜାତିଗତ ଜନଗଣନା ପାଇଁ ଚାପ ପକାଇପାରେ ଜେଡିୟୁ । ବିହାର ଓ ଆନ୍ଧ୍ରପ୍ରଦେଶ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି ବି ଉଠିପାରେ । ତେଣୁ ମେଣ୍ଟ ସହଯୋଗୀଙ୍କୁ ଖୁସି କରି ସରକାର ଚଳାଇବା ବାଟ ବିଜେପି ପାଇଁ ସହଜ ହୋଇନପାରେ ।

Comments are closed.