Latest Odisha News

ଆହୁରି ୫ବର୍ଷ ମିଳିବ ମାଗଣା ଚାଉଳ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି  । ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଆଉ ୫ବର୍ଷ ମାଗଣା ଚାଉଳ ଦେବାକୁ କ୍ୟାବିନେଟରେ ମଞ୍ଜୁରୀ ହୋଇଛି । ୨୦୨୮ ଡିସେମ୍ବର ଯାଏଁ କେନ୍ଦ୍ର ମାଗଣା ଚାଉଳ ଯୋଗାଇବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବୃଦ୍ଧି କରାଯାଇଛି । ଏଥିରେ ପ୍ରାୟ ୮୧କୋଟି ହିତାଧିକାରୀ ଉପକୃତ ହେବେ । ଏହି ଯୋଜନା ୨୦୨୪ ଜାନୁଆରୀ ପହିଲାରୁ ଲାଗୁ ହେବ ।

ଯେଉଁ ପରିବାରକୁ ଅନ୍ତ୍ୟୋଦୟ ଯୋଜନାର ଲାଭ ମିଳୁଛି, ସେମାନଙ୍କୁ ୩୫ କିଲୋଗ୍ରାମ ଖାଦ୍ୟଶସ୍ୟ ମିଳିବା ଜାରି ରହିବ। ଏହି ଯୋଜନାରେ ସରକାର ୧୧.୮୦ ଲକ୍ଷ କୋଟି ଟଙ୍କା ଆଗାମୀ ପାଞ୍ଚ ବର୍ଷରେ ଖର୍ଚ୍ଚ କରିବେ।ବାର୍ଷିକ ୨ ଲକ୍ଷ କୋଟି ଟଙ୍କା ବଜେଟ୍‌ରେ ପ୍ରସ୍ତୁତ ପିଏମ୍‌ଜିକେଏଓ୍ଵାଇର ସମୟ ସୀମା ୨୦୨୩ ଡିସେମ୍ବର ୩୧ରେ ଶେଷ ହେବ।

ଏହା ବ୍ୟତୀତ ମହିଳାମାନଙ୍କୁ ଡ୍ରୋନ ଉଡାଇବାର ଟ୍ରେନିଂ ଦିଆଯିବ । ଫଳରେ ମହିଳା ଚାଷୀମାନେ ଡ୍ରୋନ ସହାୟତାରେ ଜମିରେ ସାର ଓ ବିଷ ପକାଇପାରିବେ । ଟ୍ରେନିଂ ସରିବା ପରେ ଡ୍ରୋନ ଉଡାଉଥିବା ମହିଳାମାନଙ୍କୁ ମାସିକ ୧୫ ହଜାର ଓ ସହଯୋଗୀଙ୍କୁ ମାସିକ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରିବେ ।

Comments are closed.