Latest Odisha News

BREAKING NEWS

କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି:ସାର ଉପରେ ଜାରି ରହିବ ସବସିଡି, ବଢିବନି ୟୁରିଆ ଦର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମୋଦୀ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ସରକାର ନିଷ୍ପତ୍ତି ନେଇଛନ୍ତି ଯେ କୃଷକମାନଙ୍କୁ ସାର ସବସିଡି ମିଳିବା ଜାରି ରହିବ ଏବଂ ସାର ମୂଲ୍ୟ ଉପରେ ସରକାର କୌଣସି ପ୍ରଭାବ ପକାଇବାକୁ ଦେବେ ନାହିଁ ।

କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଅନୁରାଗ ଠାକୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସାରର ମୂଲ୍ୟ ପ୍ରଭାବିତ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଏନବିସି(NBS) ଅଧୀନରେ ଚାଷୀଙ୍କୁ ରିହାତ, ସୁଲଭ ଓ ଉଚତି ମୂଲ୍ୟରେ ସାର ମିଳିବା ଜାରି ରହିବ ଏବଂ ୟୁରିଆ ମୂଲ୍ୟରେ ଏକ ପଇସା ମଧ୍ୟ ବୃଦ୍ଧି ହେବ ନାହିଁ ।

ଏଥିସହ ମୋଦୀ କ୍ୟାବିନେଟ୍, ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-ତ୍ୱରିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ ପିଏମକେଏସୱାଇ-ଏଆଇବିପି (PMKSY-AIBP) ଅଧୀନରେ ଉତ୍ତରରାଖଣ୍ଡର ଜମରାନି ଡ୍ୟାମ୍ ବହୁମୁଖୀ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରିବାକୁ ଅନୁମୋଦନ କରିଛନ୍ତି । ଅନୁରାଗ ଠାକୁର କହିଛନ୍ତି ଯେ, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ଭଳି ୨ଟି ରାଜ୍ୟ ଏଥିରୁ ଉପକୃତ ହେବେ ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ଦେଶର ଚାଷୀଙ୍କୁ ପ୍ରଭାବିତ କରିବ ନାହିଁ । ଏନେଇ କୃଷକ ହିତ ପାଇଁ ସରକାର ପୁଣି ଥରେ ଏହି ନିଷ୍ପତ୍ତି ନେଇଛନ୍ତି । ରବି ଋତୁ ପାଇଁ ପୁଷ୍ଟିକର ସବସିଡି ଯୋଗାଇ ଦିଆଯିବ । ୨୦୨୧ ମସିହାରୁ ସବସିଡି ହାର ଏପରି ଭାବରେ ସ୍ଥିର ହୋଇଛି ଯେ ଏହାର ବର୍ଦ୍ଧିତ ମୂଲ୍ୟର ପ୍ରଭାବ ଯେପରି କୃଷକମାନଙ୍କ ଉପରେ ନପଡିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋପ ବ୍ୟାଗ ପିଛା ୪୫ ଟଙ୍କା କମ୍ ମୂଲ୍ୟରେ ଉପଲବ୍ଧ ହେବ । ପୂର୍ବ ମୂଲ୍ୟରେ ୟୁରିଆ ଏବଂ ଡିଏପି (DAP) ଉପଲବ୍ଧ ହେବ ।

ମନ୍ତ୍ରୀ କହିଛନ୍ତି ଯେ, ୧ ଅକ୍ଟୋବର ୨୦୨୩ ରୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ରବି ଋତୁ ପାଇଁ ସବସିଡି, ନାଇଟ୍ରୋଜେନ ପାଇଁ ଏହା ଏକ କିଲୋ ପିଛା ୪୭.୨ ଟଙ୍କା, ଫସଫରସ୍ ଏକ କିଲୋ ପିଛା ୨୦.୮୨ ଟଙ୍କା, ପୋଟାସ କିଲୋ ପ୍ରତି ୨.୩୮ ଟଙ୍କା ରହିବା ବେଳେ ସଲଫର ଏକ କିଲୋ ପିଛା ୧.୮୯ ଟଙ୍କା ରହିବ । ଏହି ସବସିଡି ଜାରି ରହିବ କାରଣ ଯେତେବେଳେ ଅନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ହୁଏ, ସରକାର ଚାହାଁନ୍ତି ନାହିଁ ଯେ ଏହା ଆମ ଚାଷୀ ମାନଙ୍କୁ ପ୍ରଭାବିତ କରୁ । ତେବେ ଡିଏପି (DAP) ପୁରୁଣା ଦର ଅନୁସାରେ ଏକ ବ୍ୟାଗ ପିଛା ୧୩୫୦ ଟଙ୍କା ମିଳିବ । ଏନପିକେ (NPK) ବ୍ୟାଗ ପିଛା ୧୪୭୦ଟଙ୍କାରେ ଉପଲବ୍ଧ ହେବ ।

Leave A Reply

Your email address will not be published.