Latest Odisha News

BREAKING NEWS

ମୋଦି ଗ୍ୟାରେଂଟି ସଫଳ, ନବୀନଙ୍କ ଯୋଜନାର ଗ୍ୟାରେଂଟି ନାହିଁ କି ୱାରେଂଟି ନାହିଁ: ବିଜେପି

ଭୁବନେଶ୍ୱର: ମୋଦି ଗ୍ୟାରେଂଟି ପାଇଁ ଆଜି ଓଡିଶାର ଗରିବ ଲୋକଙ୍କ ଜୀବନ ଧାରଣମାନରେ ପରିବର୍ତ୍ତନ ଆସିଛି । ଗରିବ ଲୋକଙ୍କର ମୌଳିକ ଆବଶ୍ୟକତା ଯଥା ପକ୍କାଘର, ଚାଉଳ, ବିଜୁଳି, ପିଇବା ପାଣି, ରାସ୍ତା, ନିଯୁକ୍ତି ଆଦି ପ୍ରସଙ୍ଗରେ ମୋଦି ସରକାରଙ୍କ ଯୋଜନା ଓଡିଶା ଲୋକଙ୍କୁ ଲାଭ ଦେଇଛି । କିନ୍ତୁ ୨୪ ବର୍ଷରେ ନବୀନ ବାବୁଙ୍କ ସରକାର ସମୟରେ ହୋଇଥିବା ସମସ୍ତ ଯୋଜନାର “ଗ୍ୟାରେଂଟି ନାହିଁ କି ଓାରେଂଟି ନାହିଁ” । ଓଡିଶାରେ ମୋଦି ଗ୍ୟାରେଂଟି ସଫଳ, ନବୀନ ସରକାରଙ୍କ କୌଣସି ଯୋଜନାର ଗ୍ୟାରେଂଟି ନାହିଁ କି ଓାରେଂଟି ନାହିଁ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱାଳ କହିଛନ୍ତି ଯେ, ମୋଦି ଗ୍ୟାରେଂଟି ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯେଉଁଥିରେ ଓଡିଶାକୁ ମୋଟ୍ ୨୯ ଲକ୍ଷ ୨୮ ହଜାରରୁ ଅଧିକ ପକ୍କାଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଆବଂଟିତ କରିଛନ୍ତି । ନବୀନ ସରକାରଙ୍କ ଗ୍ୟାରେଂଟି ଥିଲା ବିଜୁ ପକ୍କାଘର, ମୋ କୁଡିଆ, ମୋ ଘର ଭଳି ଯୋଜନା । ଗରିବ ଲୋକଙ୍କୁ ଘର ଦେବା ପାଇଁ ରାଜ୍ୟ ସରକାର କରିଥିବା ଏହି ସମସ୍ତ ଯୋଜନା ବିଫଳ ହୋଇଛି । “ମୋ ଘର” ଯୋଜନାରେ ମାତ୍ର ୧୦୩୭ ଜଣଙ୍କୁ ଘର କରିବା ପାଇଁ ରୂଣ ମିଳିଛି । ଏହା ହିଁ ପ୍ରମାଣିତ କରୁଛି ନବୀନ ବାବୁଙ୍କ କଥାରେ ଗ୍ୟାରେଂଟି ନାହିଁ । ୨୦୧୯ ସୁଦ୍ଧା ରାଜ୍ୟରେ ଆଉ କେହି କଚ୍ଚା ଘରେ ରହିବେନି ବୋଲି ମୁଖ୍ୟମନ୍ତ୍ରୀ ୨୦୧୪ରେ କହିଥିଲେ । କୁଆଡେ ଗଲା ସେହି ପ୍ରତିଶୃତି? କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିପୁଳ ସଂଖ୍ୟାରେ ଘର ନିର୍ମାଣ ହେଉଥିବା ବେଳେ ବିଜେଡି ସରକାରଙ୍କ ଯୋଜନାରେ କାହିଁକି ନିର୍ମାଣ ହୋଇପାରୁନାହିଁ ?

ମୋଦି ଗ୍ୟାରେଂଟି ହେଉଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଯେଉଁଥିରେ ୩ କୋଟି ୨୫ ଲକ୍ଷ ଲୋକ ମାସକୁ ୫ କିଲୋ ଖାଦ୍ୟାନ୍ନ ପାଉଥିବା ବେଳେ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର ୮ ଲକ୍ଷ ଲୋକ ଲାଭାନ୍ୱିତ ହେଉଛନ୍ତି । ନବୀନ ବାବୁଙ୍କର ଗ୍ୟାରେଂଟି ହେଉଛି କେବଳ ୫ଟି ବ୍ୟାଗ ଦେଇ ଭୂଆଁ ବୋଲାଇବା ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଜଳ ଜୀବନ ମିଶନ ଯୋଜନାରେ ଏବେ ଓଡିଶାରେ ଗ୍ରାମାଂଚଳରେ ୭୩ ପ୍ରତିଶତ ପରିବାରଙ୍କ ପାଖରେ ଟ୍ୟାପ ଯୋଗେ ପିଇବା ପାଣି ମିଳୁଛି । ୨୦୧୯-୨୪ ଭିତରେ ୧୦୨୧୭ କୋଟି ଟଙ୍କା ବ୍ୟୟ କରାଯାଇ ରାଜ୍ୟରର ୬୦୭୫୧୫୧ଟି ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଏହା ହେଉଛି ମୋଦି ଗ୍ୟାରେଂଟି, କିନ୍ତୁ ରାଜ୍ୟ ସରକାରଙ୍କ ଅପାରଗତା ଓ ଠିକାଦାର ତୋଷଣ ନୀତି ପାଇଁ ଆଜି ୧୮୯ଟି ମେଗା ପ୍ରକଳ୍ପର କାମ ଅଧୁରା ପଡିଛି ଯାହା ପାଇଁ କେନ୍ଦ୍ର ସରକାର ଅର୍ଥ ଦେଇସାରିଛନ୍ତି । ମୋଦି ଗ୍ୟାରେଂଟିରେ ଲୋକେ ପିଇବା ପାଣି ପାଉଥିବା ବେଳେ ନବୀନଙ୍କ ଗ୍ୟାରେଂଟି ହେଉଛି ଠିକାଦାରଙ୍କ କଲ୍ୟାଣ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଓଡିଶାରେ କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ କରଣ ଯୋଜନାରେ ସମସ୍ତ ରେଭେନ୍ୟୁ ଗାଁକୁ ବିଦ୍ୟୁତ ସଂଯୋଗ ଏବଂ ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ୫୨ ହଜାର ପରିବାରଙ୍କୁ ମାଗଣା ବିଜୁଳି ସଂଯୋଗ ଯୋଗାଇଦେବାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଛନ୍ତି । ଏହା ହେଉଛି ମୋଦି ଗ୍ୟାରେଂଟି, କିନ୍ତୁ ରାଜ୍ୟ ସରକାରଙ୍କ ଯୋଜନା ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ରାଜ୍ୟରେ ଥିବା ନନରେଭିନ୍ୟୁ ଭିଲେଜ ଯଥା ପଡା ଗାଁ, ହାମଲେଟରେ ରହୁଥିବା ପରିବାରଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦେବେ ବୋଲି ସରକାର କହିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ତାହା ସଂମ୍ପୁର୍ଣ୍ଣ ହେଲା ନାହିଁ ଓ ଅନେକ ଛୋଟ ପଡା ଗାଁ, ହାମଲେଟ ଆଜି ବିଜୁଳି ସଂଯୋଗରୁ ବଂଚିତ । ନବୀନ ବାବୁଙ୍କର କଥାରେ ଗ୍ୟାରେଂଟି ନଥିବା କାରଣରୁ ଆଜି ଅନେକ ପରିବାରକୁ ଆଲୁଅ ଦେଖାଇପାରିନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଓଡିଶାରୁ ୩୦ ଲକ୍ଷ ଲୋକ ଦାଦନ ଯାଉଛନ୍ତି । ବିଜୁ ଆତ୍ମ ନିଯୁକ୍ତି ଯୋଜନା ବନ୍ଦ ପଡିଛି । ୨୦୦୯ରେ ମୁଖ୍ୟମନ୍ତ୍ରୀ କହିଥିଲେ ବର୍ଷକୁ ୧ ଲକ୍ଷ ଯୁବ ଗୋଷ୍ଠୀଙ୍କୁ ଚାକିରୀ ଦେବେ । କୁଆଡେ ଗଲା ସେହି ପ୍ରତିଶୃତି ? ନବୀନ ବାବୁଙ୍କ ପ୍ରତିଶୃତିର କୌଣସି ଗ୍ୟାରେଂଟି ନାହିଁ । ମୋଦି ଗ୍ୟାରେଂଟି ହେଉଛି ଦେଶରେ ଯୁବ ଶକ୍ତିମାନଙ୍କର ସ୍କିଲ ଡେଭଲପମେଂଟ ସୁନିଶ୍ଚିନ୍ତ କରିବା । ଓଡିଶାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଓ ଅନ୍ୟ ଯୋଜନାରେ ମୋଟ ୮ ଲକ୍ଷ ଯୁବକ ଯୁବତୀମାନଙ୍କୁ ତାଲିମ ଦିଆଯାଇଛି । ଦୁଇ ଦୁଇଟି ବିଶ୍ୱସ୍ତରୀୟ ସ୍କିଲ ଡେଭେଲପମେଂଟ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଓଡିଶାକୁ ଦରକାର ବିଜେପିର “ଡବଲ ଇଂଜିନ ସରକାର” । ନବୀନ ବାବୁଙ୍କର ସରକାରର ଇଂଜିନ ୨୪ ବର୍ଷ ହୋଇଗଲାଣି । ଏହା ଏବେ କେବଳ ପଲ୍ୟୁସନ କରୁଛି, ବେଶି ସାଉଣ୍ଡ କରୁଛି । କିନ୍ତୁ ଇଂଜିନର ଗତି ନାହିଁ । ପଲ୍ୟୁସନ ମାନେ ହେଲା ଦୁର୍ନୀତି, ଦାଗୀ ନେତାଙ୍କୁ ନିର୍ବାଚନୀ ଟିକେଟ । ସାଉଣ୍ଡ ମାନେ ହେଲା ଅନାବଶ୍ୟକ ଓ ମାତ୍ରାବହୁଳ ବିଜ୍ଞାପନ ଆଉ ପ୍ରଚାର । ଏବେ ଏହି ଇଂଜିନ ବଦଳିବା ଦରକାର । ଓଡିଶା ଲୋକ ଏଥର ରାଜ୍ୟରେ ବିଜେପିର ନୂଆ ଇଂଜିନକୁ ସରକାରକୁ ଆଣିବେ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ ପ୍ରବକ୍ତା ବ୍ରଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.