Latest Odisha News

BREAKING NEWS

ଦୁବାଇରେ ଅନୁଷ୍ଠିତ ହେଲା ମୋଦୀ@୨୦ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ କଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ, ଭୁବନେଶ୍ୱର, ଦୁବାଇ ଓଡ଼ିଆ ସମାଜ ଏବଂ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଆର୍ଟ ସେଣ୍ଟର ଠାରେ ମୋଦୀ@୨୦ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଆଜିର ଉଦଘାଟନୀ ସମାରୋହରେ ଓଡ଼ିଶାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଚିତ୍ରକଳା ପ୍ରଦର୍ଶନୀରେ ଓଡ଼ିଶା, ଆସାମ, ତ୍ରିପୁରା, ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଦିଲ୍ଲୀରୁ ପ୍ରାୟ ୪୦ ଜଣ ଏବଂ ଦୁବାଇରୁ ପ୍ରାୟ ୨୦ ଜଣ ଚିତ୍ରଶିଳ୍ପୀ ଭାଗନେଇଥିବାର ସୂଚନା ମିଳିଛି। ପ୍ରଦର୍ଶନୀରେ ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଜନାଭିମୁଖୀ କାର୍ଯ୍ୟକଳାପକୁ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ଏଥିସହ ଚିତ୍ରଶିଳ୍ପୀ ରାଜମାତା ଦୀପ୍ତି ଯାଦବଙ୍କ ଦ୍ୱାରା ଚିତ୍ରିତ “ଦ ମୋଦୀ ଆଣ୍ଡ କ୍ରାଉନ ପ୍ରିନ୍ସ” ଏବଂ ଚିତ୍ରଶିଳ୍ପୀ ଅନୁପ ଚାନ୍ଦଙ୍କ ଦ୍ୱାରା ଅଙ୍କିତ “ମୋଦୀ ଆଣ୍ଡ ଟି କେଟେଲ୍‌” ପ୍ରଥମ ଦିନରେ ଦର୍ଶକମାନଙ୍କ ମଧ୍ୟରେ ଆଦୃତି ହାସଲ କରିପାରିଛି।

ଚିତ୍ରକଳା ପ୍ରଦର୍ଶନୀ ମାଧ୍ୟମରେ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି ହେବା ସହ ବିଭିନ୍ନ ପ୍ରଦେଶରୁ ଆସିଥିବା ଶିଳ୍ପୀ ମାନଙ୍କର ଭାବବିନିମୟ ପାଇଁ ଏହା ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ଭାବେ ସାବ୍ୟସ୍ତ ହୋଇପାରିଛି। ଆଗାମୀ ଦିନରେ ମଧ୍ୟ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ ମାଧ୍ୟମରେ ଚିତ୍ରଶିଳ୍ପୀମାନଙ୍କର ସୃଜନଶୀଳତାର ବିକାଶ ହେବା ସହ ତାଙ୍କର କଳାକୃତିର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ଶ୍ରୀ ସେଠୀ ମତପ୍ରକାଶ କରିଥିଲେ। ଓଡ଼ିଶାର ଚିତ୍ରକଳା ହେଉଛି ଆମ ଗୌରବମୟ ଇତିହାସ, ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟର ଅମ୍ଳାନ ପ୍ରତୀକ। ଓଡ଼ିଶାର ପାରମ୍ପାରିକ ପଟ୍ଟଚିତ୍ର, ପୋଥିଚିତ୍ର, ଭିତ୍ତିଚିତ୍ର, ତାଳପତ୍ର ଚିତ୍ର  ବିଶ୍ୱପ୍ରସିଦ୍ଧ। ତେଣୁ ଚିତ୍ରକଳାର ବିକାଶ ଓ ପ୍ରଚାର ପ୍ରସାର ପାଇଁ ଆମେ ସମସ୍ତେ ସଦାସର୍ବଦା ନିରନ୍ତର ପ୍ରୟାସ ଜାରି ରଖିବା ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ, ଦୁବାଇରେ ଅନୁଷ୍ଠିତ ହେଉଥିବା ମୋଦୀ@୨୦ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଆସନ୍ତା ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Comments are closed.