Latest Odisha News

ସତ ହେଲା ମୋଦୀଙ୍କ ଭବିଷ୍ୟବାଣୀ, ବିରୋଧୀଙ୍କ ଉପରେ ୨୦୧୯ରେ ଆକଳନ କରିଥିଲେ, ୨୦୨୩ରେ ସତ ହେଲା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଆସନ୍ତା ବର୍ଷ ହେବାକୁ ଯାଉଛି। ଏହା ପୂର୍ବରୁ ସଂସଦରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଲୋକସଭା ବାଚସ୍ପତି। କିନ୍ତୁ ଆଜି ସକାଳଠୁ ସୋଶିଆଲ ମିଡିଆ ଟ୍ବିଟର (ନୂଆ ନା ଏକ୍ସ)ରେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକି ୨୦୧୯ରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ।

ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବିତର୍କର ୭ ଫେବୃଆରୀ ୨୦୧୯ର ଏକ ଭିଡିଓରେ ପ୍ରଧାନମନ୍ତ୍ରୀ କହୁଥିବା ଶୁଣିବାକୁ ମିଳୁଛି ଯେ ବିରୋଧୀମାନେ ୨୦୨୩ରେ ଆଉ ଏକ ଅନାସ୍ଥା ପ୍ରସ୍ତାବ ପାଇଁ ପ୍ରସ୍ତୁତ ହୁଅନ୍ତୁ। ବର୍ଷକ ତଳେ ତାଙ୍କ ସରକାର ଏଭଳି ଏକ ପ୍ରସ୍ତାବକୁ ପରାସ୍ତ କରିଥିବା କଥା ସେ ଉଲ୍ଲେଖ କରିଥିଲେ।

ଲୋକସଭାରେ ଶାସକ ଦଳ ସାଂସଦ ଏହାକୁ ଶୁଣିବା ପରେ ଠୋ ଠୋ ହୋଇ ହସୁଥିବା ଦେଖିବାକୁ ମିଳିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ମୁଁ ମୋର ଶୁଭେଚ୍ଛା ଜଣାଇବାକୁ ଚାହୁଁଛି…ଏବେ ପ୍ରସ୍ତୁତ ରୁହ ଯେ ଆପଣଙ୍କୁ ୨୦୨୩ରେ ପୁଣି ଥରେ ଅନାସ୍ଥା ଆଣିବାର ସୁଯୋଗ ମିଳିବ।

ଏ ହେଉଛି ସମର୍ପଣ ଭାବ (ସେବା) ଯେ ଦୁଇଟି ସାଂସଦରୁ ଆମେ ଏଠାରେ ସରକାରରେ ବସିଛୁ। ଆଉ ଅହଂକାରର ପରିଣାମ ହେଉଛି ୪୦୦ରୁ ଆପଣ ୪୦କୁ ଖସି ଆସିଛନ୍ତି। ସେ କଂଗ୍ରେସର ନା ନ ନେଇ କଟାକ୍ଷ କରି କହିଥିଲେ, “ଦେଖନ୍ତୁ ଆଜି ଆପଣ କେଉଁଠି ଅଛନ୍ତି”।

ଏହି ଅବସରରେ କଂଗ୍ରେସର ଅନ୍ୟ ବରିଷ୍ଠ ନେତାଙ୍କ ସହ ସୋନିଆ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ୨୦୧୮ରେ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଦ୍ୱାରା ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବାକୁ ଅନେକ ବିରୋଧୀ ଦଳ ସମର୍ଥନ କରିଥିଲେ। ଯାହାକୁ ସରକାର ହରାଇ ଜିତିଥିଲେ।

ଏଥର ମଣିପୁରକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ମଧ୍ୟରେ କଂଗ୍ରେସ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି। ଯଦିଓ ବିରୋଧୀ ଦଳଗୁଡ଼ିକର ଇଣ୍ଡିଆ ମେଣ୍ଟ ଦ୍ୱାରା ସମର୍ଥିତ ଏହି ପ୍ରସ୍ତାବ ଲୋକସଭାରେ ପରାଜିତ ହେବାର ସମ୍ଭାବନା ରହିଛି, ଯେଉଁଠାରେ ସରକାରର ସଂଖ୍ୟା ଗରିଷ୍ଠତା ରହିଛି। କିନ୍ତୁ ନେତାମାନେ କହିଛନ୍ତି ଯେ ମଣିପୁର ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିବୃତି ଦେବାକୁ ବାଧ୍ୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ପକ୍ଷରୁ ପୃଥକ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି। ଯିଏକି ‘ଆଇଏନଡିଆଇଏ’ ମେଣ୍ଟର ଅଂଶବିଶେଷ ନୁହେଁ।

Comments are closed.