Latest Odisha News

BREAKING NEWS

ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ସାମି, ଘର ବାହାରେ ପହରା ଦେଉଥିଲେ ପରିବାର ଲୋକେ.. ଆଜି ସମସ୍ତଙ୍କର ହିରୋ

ନୂଆଦିଲ୍ଲୀ:‘ ମୋତେ ମୋ ପରିବାରର ସହଯୋଗ ମିଳି ନ ଥିଲେ ହୁଏତ ମୁଁ କ୍ରିକେଟ ଛାଡି ଦେଇଥାନ୍ତି । ମୁଁ ତିନିତିନି ଥର ଆତ୍ମହତ୍ୟା ପାଇଁ ଭାବି ନେଇଥିଲି । ମୋ ଘର ୨୪ ମହଲାରେ ଥିଲା । ପରିବାର ଲୋକ ଡରୁଥିଲେ କାଳେ ମୁଁ ଆପାର୍ଟମେଣ୍ଟରୁ ଡେଇଁ ପଡିବି । ତେଣୁ ସେମାନେ ମତେ ଏକ ପ୍ରକାର ଜଗି ରହିଥିଲେ….’ ସ୍ମୃତିକୁ ରୋମନ୍ଥନ କରି ଭାବବିହ୍ୱଳ ସ୍ୱରରେ ଏମିତି କହିଛନ୍ତି ଟିମ ଇଣ୍ଡିଆର ହିରୋ ମହମ୍ମଦ ସାମି ।

ସେ କହିଛନ୍ତି, ସେଦିନର ସମୟ ଜୀବନର ସବୁଠାରୁ କଠିନ ସମୟ ଥିଲା । ହେଲେ ସମୟ ସହ ସେହି କଠିନତା ଦୂରେଇ ଯାଇଥିଲା ଆଉ ଆଜି ମହମ୍ମଦ ସାମୀ ରଚିଗଲେ ଇତିହାସ । ଆଜି ସାରା ବିଶ୍ୱ ଦେଖିଲା ସାମିଙ୍କ କୃତୀତ୍ୱ ।

ବୁଧବାର ନିଉଜଲାଣ୍ଡ ବିରୋଧରେ ସେମିଫାଇନାଲ ଖେଳି  ଭାରତକୁ କେବଳ ବିଜୟ ମୁକୁଟ ପିନ୍ଧାଇ ନ ଥିଲେ, ଶାନଦାର ବୋଲିଂ କରି କ୍ରିକେଟରେ ଇତିହାସ ରଚିଥିଲେ ମହମ୍ମଦ ସାମି । ଏହି ମ୍ୟାଚରେ ୱାନଡେ ମ୍ୟାଚରେ ୪ର୍ଥ ଥର ପାଇଁ ୫ ୱିକେଟ ନେଇଥିବା ବୋଲର ଥିଲେ ସାମି । ଏହାବ୍ୟତୀତ ନିଜ ନାଁରେ ଆଉ ଏକ ରେକର୍ଡ ମଧ୍ୟ କରିଗଲେ । ୱାର୍ଲଡ କପରେ ୫୦ ଔିକେଟ ନେଇଥିବା ପ୍ରଥମ ବୋଲର ହୋଇଥିଲେ ସେ ।

ଏଠାରେ ପହଞ୍ଚିବା ସାମିଙ୍କ ପକ୍ଷେ ଏତେ ସହଜ ନ ଥିଲା । ପ୍ରଥମ କିଛି ବର୍ଷ ସାମି କିଛି ଆରୋପ ଏବଂ ବିବାଦ ମଧ୍ୟରେ ଘେରି ରହିଥିଲେ । ଏହି ସମୟରେ ଥରେ ନୁହେଁ, ତିନିତିନି ଥର ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।  ଏମିତି ଏକ ଖରାପ ସମୟ ଥିଲା ୨୦୧୫ରେ । ୨୦୧୫ ୱାର୍ଲଡ କପରେ ଆଘାତ ପାଇ ଫେରି ଆସିଥିଲେ । ସେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଉତ୍ଥାନ ପତନ ଦେଇ ଗତି କରୁଥିଲେ । ହେଲେ ଭାଗ୍ୟ ତାଙ୍କ ପାଇଁ କିଛି ଅଲଗା ଲେଖିଥିଲା । ପରିବାର ସହ ମିଶି ଏବଂ ନିଜର ଖରାପ ସମୟ ସହ ଲଢି ଆଜି ସେ ଏହି ସ୍ଥାନରେ ପହଞ୍ଚିଛନ୍ତି ।

୨୦୨୦ରେ କରୋନା ଚାଲିଥିବା ସମୟରେ ରୋହିତ ଶର୍ମାଙ୍କ ସହ ଏକ ଇନଷ୍ଟାଗ୍ରାମ ଲାଇଭରେ ସାମି ସୁଇସାଇଡ ଚିନ୍ତାଧାରା ବିଷୟରେ ଖୁଲାସା କରିଥିଲେ । ସେ କହିଥିଲେ, ୨୦୧୫ ୱାର୍ଲଡ କପ ଆଘାତ ପରେ ଟିମକୁ ଫେରିବା ପାଇଁ ମୋତେ ୧୮ ମାସ ଲାଗିଥିଲା ଏବଂ ଏହା ମୋ ଜୀବନର ସବୁଠାରୁ କଠିକ ସମୟ ଥିଲା । ଏଥିସହିତ ପାରିବାରିକ ସମସ୍ୟା । ଏସବୁ ଚାଲିଥିବାବେଳେ ଆଇପିଏଲର ୧୦-୧୨ ଦିନ ପୂର୍ବରୁ ମୋର ଦୁର୍ଘଟଣା । ମିଡିଆରେ ମଧ୍ୟ ମୋର ନିଜସ୍ୱ ମାମଲାକୁ ନେଇ ଅନେକ କିଛି ଶୁଣିବାକୁ ମିଳୁଥିଲା ।’

ସେ ଆହୁରି କହିଛନ୍ତି, ‘ଏହି ସମୟରେ ମୋର ପରିବାର ଲୋକେ ମୋତେ ସହଯୋଗ କରି ନ ଥିଲେ ହୁଏତ ମୁଁ କ୍ରିକେଟ ଛାଡି ଦେଇଥାନ୍ତି । ଆତ୍ମହତ୍ୟା କରିବା ପାଇଁ ମୁଁ ଭାବି ନେଇଥିଲି । ଏପରିକି ମୋ ଉପରେ ନଜର ରଖିବା ପାଇଁ ମୋ ପାଖରେ ବସି ରହୁଥିଲେ ।’ ସେମାନେ ସବୁବେଳେ ମୋତେ ଗୋଟିଏ କଥା କହୁଥିଲେ, ସବୁ ସମସ୍ୟାର ସମାଧାନ ହେବ । ତୁମେ କେବଳ ତୁମ ଖେଳରେ ଧ୍ୟାନ ଦିଅ ।’

ସେ ଆହୁରି କହିଛନ୍ତି, ’ ମୋ ପରିବାର ମୋର ଶକ୍ତି । ସେମାନେ କହୁଥିଲେ, ଯେଉଁ ଜିନିଷରେ ତୁମେ ଆନନ୍ଦ ପାଉଛ ସେଥିରେ ନିଜକୁ ହଜାଇ ଦିଅ । ମୁଁ ପୁଣି ଅଭ୍ୟାସ ଜାରି ରଖିଲି । ମୁଁ ଜାଣି ନ ଥିଲି ମୁଁ କ’ଣ କରୁଛି । ଖୁବ ଚାପରେ ଥିଲି । ଏପରିକି ଅଭ୍ୟାସ ସମୟରେ ହତାଶ ହୋଇ ଭାଙ୍ଗି ପଡୁଥିଲି । ପରିବାର ଲୋକେ କହୁଥିଲେ, ଫୋକସ କର । ମୋର ଭାଇ, ମୋର କିଛି ସାଙ୍ଗ ଏହି ସମୟରେ ମୋ ସହ ଥିଲେ । ମୁଁ କେବେ ବି ଏହି କଥା ଭୁଲି ପାରିବିନି ଯେ, ଯଦି ଏମାନେ ସେଦିନ ମୋ ସହ ନ ଥାନ୍ତେ ତେବେ ମୁଁ କିଛି ବି ଭୁଲକାମ କରି ଦେଇଥାନ୍ତି । ‘

Leave A Reply

Your email address will not be published.