ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଆମେରିକାକୁ ପରାସ୍ତ କରି ଭାରତ ତାର ଅଭିଯାନ ଆରମ୍ଭ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଓ ମହମ୍ମଦ ସିରାଜଙ୍କ ବୋଲିଂ ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ମ୍ୟାଚ ପରେ ସିରାଜ ଭାବପ୍ରବଣ ହୋଇ ପଡିଥିଲେ । ଜୁଲାଇ ୨୦୨୪ ପରଠାରୁ ଆନ୍ତର୍ଜାତୀୟ ଟି୨୦ ଖେଳି ନ ଥିବା ସିରାଜ ଟି୨୦ ବିଶ୍ୱକପ ଟିମରେ ସ୍ଥାନ ପାଇ ନ ଥିଲେ । ରଣଜୀ ଟ୍ରଫିରେ ହାଇଦ୍ରାବାଦ ନକଆଉଟକୁ ଯାଇ ନ ପାରିବା ଯୋଗୁ ସିରାଜଙ୍କୁ କିଛି ଦିନ ବିଶ୍ରାମ ମିଳିଥିଲା । ସେ ଫୁଟବଲ ମ୍ୟାଚ ଦେଖିବା ପାଇଁ ସ୍ପେନ ଗସ୍ତରେ ବାହାରିଥିଲେ । ସେ ସମୟରେ ସୂର୍ଯ୍ୟକୁମାରଙ୍କ କଲ ତାଙ୍କ ପାଖକୁ ଆସିଥିଲା । ମିଆଁ ବ୍ୟାଗ ପ୍ୟାକ କରୋ, ଆ ଜାଓ ବିଶ୍ୱକପ ଖେଲନେ । ସିରାଜ ଏହାକୁ ଗମ୍ଭୀରତା ସହକାରେ ନେଇ ନ ଥିଲେ । ଏହାର କିଛି ସମୟ ପରେ ପ୍ରଜ୍ଞାନ ଓଝା ତାଙ୍କୁ କଲ କରିଥିଲେ ।
ବାସ ସିରାଜ ସ୍ପେନର ଟିକେଟ କ୍ୟାନ୍ସଲ କରି ଭାରତୀୟ ଦଳ ସହିତ ଯୋଗୁ ଦେଇଥିଲେ । ସେ ପାଖାପାଖି ରାତି ୩ଟାରେ ମୁମ୍ବାଇରେ ପଂହଚିଥିଲେ । ସକାଳୁ ସେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ବୋଲି ଜଣା ଯାଇଥିଲା । ଯଶପ୍ରୀତ ବୁମରାହ ଫିଟ ନ ଥିବାରୁ ସିରାଜଙ୍କୁ ସୁଯୋଗ ମିଳିଥିଲା । ସେ ଏହାର ଫାଇଦା ଉଠାଇ ୩ଟି ୱିକେଟ ନେଇଥିଲେ । ହର୍ଷିତ ରାଣା ଆଘାତ ସମସ୍ୟା ଯୋଗୁ ବିଶ୍ୱକପ ଟିମରୁ ଓହରିଯିବା ସିରାଜଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣି ଦେଇଥିଲା । ସିରାଜ ଓ ଅର୍ଶଦୀପ ସିଂ ଆମେରିକା ବିପକ୍ଷରେ ପ୍ରଥମରୁ ଚମତ୍କାର ବୋଲିଂ କରି ୧୩ ରନରେ ୩ଟି ୱିକେଟ ଅକ୍ତିଆର କରି ନେଇଥିଲେ । ଏବେ ଆଗକୁ ଭଲ ପ୍ରଦର୍ଶନ ନେଇ ମଧ୍ୟ ସିରାଜ ଆଶାୟୀ ଅଛନ୍ତି ।