ଭୁବନେଶ୍ୱର: ଆସନ୍ତାକାଲି ବସିବ ବିଧାନସଭାର ମୌସୁମୀ ଅଧିବେଶନ । ଅକ୍ଟୋବର ୪ ତାରିଖ ଯାଏ ଚାଲିବ ଏହି ଅଧିବେଶନ । ବିଧାନସଭାର ଏହି ଅଧିବେଶନ ବେସ ସରଗରମ ହେବ ବୋଲି ଅନୁମାନ କରାଯାଉଛି ।
ଅଧିବେଶନର ପ୍ରଥମ ଦିନରେ ନୂଆ ବାଚସ୍ପତି ନିର୍ବାଚନ ସହ ଦିବଂଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆସିବ । ଦ୍ୱିତୀୟାର୍ଦ୍ଧରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିବେ ବଜେଟ । ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ପ୍ରମିଳା ମଲ୍ଲିକ । ଆସନ୍ତାକାଲି ତାଙ୍କୁ ବାଚନିକ ଭୋଟରେ ନିର୍ବାଚିତ କରାଯିବ ।
ଅନ୍ୟପକ୍ଷେ ବିଧାନସଭାରେ ସରକାରଙ୍କୁ ଘେରିବା ପାଇଁ କଂଗ୍ରେସ ଓ ବିଜେପି ବିଧାୟକ ଦଳ ବୈଠକ ଡାକିଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବେ । ବଶେଷକରି ଚାଷୀ ସମସ୍ୟା,ଶିକ୍ଷକ ଆନ୍ଦୋଳନ, ରତ୍ନଭଣ୍ଡାର ଖୋଲିବା, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ଘରୋଇ ବସ ଧର୍ମଘଟ ଇତ୍ୟାଦି ଅନେକ ପ୍ରସଙ୍ଗକୁ ନେଇ ବିଜେଡି ସରକାରକୁ ଘେରିବେ ବିରୋଧୀ ।
ତେବେ ବିଧାନସଭାରେ ଆସନ୍ତାକାଲି ଦୁଇ ବିଧାୟକଙ୍କ ଆସନ ବଦଳିପାରେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ବିଧାୟକ ସୌମ୍ୟ ପଟ୍ଟନାୟକ ଏବଂ ସୁଧାଂଶୁ ଷଡଙ୍ଗୀଙ୍କୁ ଦଳରୁ ବିଦା କରି ଦେଇଛନ୍ତି । ଏହାପୂର୍ବରୁ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଦଳରୁ ବହିଷ୍କୃତ ହୋଇଛନ୍ତି । ତେଣୁ ଦଳରୁ ହଟିବା ପରେ ଏହି ତିନି ବିଧାୟକ ପ୍ରଥମ ଥର ପାଇଁ କାଲି ବିଧାନସଭାକୁ ଆସିବେ । ଏଥିସହିତ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ନିଲମ୍ବନ କରାଯାଇଛି । ତେଣୁ ଆସନ୍ତାକାଲି ସେମାନଙ୍କ ଆସନ ବଦଳିବାର ସମ୍ଭାବନା ରହିଛି ।
ତେବେ ଗୋଟିଏ ଦିନ ଗୃହ ଚାଲିବା ପରେ ଶନିବାର ଓ ରବିବାର ବନ୍ଦ ରହିବ ।ସେପ୍ଟେମ୍ବର ୨୫ରୁ ୨୮ ତାରିଖ ଚାରିଦିନ ଚାଲିବା ପରେ ୧୯ ତାରିଖ ମହମ୍ମଦ ଜୟନ୍ତୀ, ଅକ୍ଟୋବର ୧ ରବିବାର, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପାଇଁ ଛୁଟି ରହିବ । ଅକ୍ଟୋବର ୩ ତାରିଖ ଅତିରିକ୍ତ ବଜେଟ ଗୃହୀତ ହେବା ପାଇଁ ବ୍ୟୟ ମଞ୍ଜୁରୀ ବିଲ ଆସିବ ଏବଂ ଗୃହରେ ଉକ୍ତ ଦିନ ଏହା ପାସ ହେବ ।
Comments are closed.