ପ୍ରୟାଗରାଜ: ଆଜି ପବିତ୍ର ମାଘପୂର୍ଣ୍ଣିମା। ତ୍ରିବେଶୀ ସଙ୍ଗମରେ ମାଘ ସ୍ନାନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ସଙ୍ଗମରେ ବୁଡ ପକେଇବା ପାଇଁ ଦେଶ ତଥା ବିଦେଶରୁ ଛୁଟିଛି ଶ୍ରଦ୍ଧାଳୁଙ୍କ ଭିଡ । ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ ପକାଉଛନ୍ତି ଶ୍ରଦ୍ଧାଳୁ । ସେଥିପାଇଁ ପ୍ରୟାଗରାଜରେ ଜମିଛି ପ୍ରବଳ ଭିଡ଼। ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଛି ଜନସମୁଦ୍ର । ବର୍ତ୍ତମାନ ସୁଦ୍ଧା ସଙ୍ଗମରେ ବୁଡ଼ ପକାଇଲେଣି ୧.୩୦ କୋଟିରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ। ଏବେବି ବିଭିନ୍ନ ଘାଟରେ ବୁଡ ପକାଉଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ ।
ଅନ୍ୟପଟେ ମାଘ ପୂର୍ଣ୍ଣିମା ଅବସରରେ ସରଯୁ ନଦୀ ତଟରେ ମଧ୍ୟ ଚାଲିଛି ସ୍ନାନ । ଦୂରଦୂରାନ୍ତରୁ ଅଯୋଧ୍ୟା ଆସିଥିବା ଭକ୍ତମାନେ ସରଯୁ ନଦୀରେ ସ୍ନାନ କରିବା ସହ ମଠ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରୁଛନ୍ତି । ରାମନଗରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଲାଗିଛି । ଅଯୋଧ୍ୟା ଜିଲ୍ଲା ଏବଂ ଆଖପାଖ ଜିଲ୍ଲାରୁ ମଧ୍ୟ ଭକ୍ତମାନେ ଅଯୋଧ୍ୟାରେ ପହଞ୍ଚିଛନ୍ତି। ମହାକୁମ୍ଭରେ ସ୍ନାନ କରିବା ପରେ ମଧ୍ୟ ଲୋକମାନେ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଭୋର ୩.୦୦ ରୁ ଚାଲିଛି ସ୍ନାନ, ଦାନ, ଦର୍ଶନ ଏବଂ ପୂଜା । ସ୍ନାନ ପାଇଁ ଘାଟଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ଅଯୋଧ୍ୟାକୁ ଆସୁଥିବା ଯାନବାହନ ଉପରେ କଟକଣା ଲଗାଯାଇଛି ।
ଚଳିତ ବର୍ଷ ୧୦ ଲକ୍ଷରୁ ଅଧିକ ଭକ୍ତ କଳ୍ପବାସ କରିଛନ୍ତି, ଯାହା ସଙ୍ଗମ କ୍ଷେତ୍ର ନିକଟରେ ରହିବା, ଉପବାସ, ଆତ୍ମ-ଶୃଙ୍ଖଳା, ଆତ୍ମନିରୀକ୍ଷଣ ଏବଂ ଆଧ୍ୟାତ୍ମିକ ଶୁଦ୍ଧିକରଣର ଅଭ୍ୟାସକୁ ବୁଝାଏ। ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ମଙ୍ଗଳବାର ଭୋର ୪ଟାରୁ ମେଳା ଅଞ୍ଚଳକୁ ‘ଯାନବାହାନ ନିଷେଧ ଅଞ୍ଚଳ’ ଘୋଷଣା କରାଯାଇଛି।ଜରୁରୀକାଳୀନ ଏବଂ ଅତ୍ୟାବଶ୍ୟକୀୟ ସେବା ପାଇଁ ଛାଡ଼ କରାଯାଇଛି। ତେବେ ଏହା ଗତକାଲି ସନ୍ଧ୍ୟା ୫ଟାରୁ ସାରା ସହରରେ ଏହି ନିୟମ ଲାଗୁ ହୋଇଛି।
ତେବେ ଆଜି ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଢ଼େଇ କୋଟି ଟପିବା ଅନୁମାନ କରାଯାଉଛି । ଅନ୍ୟପଟେ ସମସ୍ତ ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ସଜାଗ ରହିଛି ପ୍ରଶାସନ । ଏଆଇ ଦ୍ବାରା ଭିଡ଼ ନିୟନ୍ତ୍ରଣ କରାଯିବା ସହ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯାଇଛି । ସଙ୍ଗମ ସ୍ଥଳୀରେ ୧୩୩ଟି ଏୟାର ଆମ୍ବୁଲାନ୍ସକୁ ମୁତୟନ କରାଯାଇଛି । ସେହିପରି ଆଜି ସଂନ୍ଧ୍ୟା ପର୍ଯ୍ୟନ୍ତ ପ୍ରୟାଗରାଜକୁ ନୋ-ଭେହିକିଲ ଜୋନ ଘୋଷଣା କରାଯିବା ସହ ଭିଭିଆଇପି ପାସକୁ ରଦ୍ଦ କରାଯାଇଛି । କହିରଖୁଛୁ ଯେ, ଜାନୁଆରୀ ୧୩ରୁ ଆଜି ସୁଦ୍ଧା ପ୍ରାୟ ୪୬କୋଟି ୨୫ଲକ୍ଷ ଲୋକ ତ୍ରିବେଣୀ ସଙ୍ଗମରେ ବୁଡ ପକାଇସାରିଲେଣି ।
Comments are closed.