Latest Odisha News

BREAKING NEWS

ନିଆରା ଭାଷା କହୁଥିବା ଦୁନିଆର ଏକମାତ୍ର ମହିଳା; ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସାରା ବିଶ୍ବରେ ପ୍ରାୟ ୬୯୦୦ରୁ ଅଧିକ ଭାଷା କଥିତ। ଏହି ଭାଷାଗୁଡ଼ିକ ମଧ୍ୟରୁ ଅନେକ ହଜାର ବର୍ଷ ପୁରୁଣା। ଏହା ମଧ୍ୟରୁ ଅନେକ ଭାଷା ଲୋପ ମଧ୍ୟ ପାଇସାରିଲାଣି। କିନ୍ତୁ କିଛି ଭାଷାକୁ ଜୀବିତ ରଖିବା ପାଇଁ ଲୋକ ଏବେ ବି ପ୍ରୟାସ ଜାରି ରଖିଛନ୍ତି। ସେହିଭଳି ଏକ ଭାଷା ହେଉଛି ‘ୟାଘାନ୍‌’।

ଆର୍ଜେଣ୍ଟିନାର ଏକ ଦ୍ବୀପର ଏହି ମାତୃଭାଷା ବର୍ତ୍ତମାନ ସମୟରେ ପ୍ରାୟ ଶେ‌ଷ ହୋଇଗଲାଣି ଚଳେ। ତେବେ ଏହି ଭାଷା ବିଷୟରେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହାକୁ କହୁଥିବା ଜଣେ ମାତ୍ର ବ୍ୟକ୍ତି ଏବେ ଜୀବିତ ଅଛନ୍ତି। ସେ ହେଉଛନ୍ତି ଜଣେ ମହିଳା।

ଆର୍ଜେଣ୍ଟିନା ଏବଂ ଚିଲି ମଧ୍ୟରେ ଥିବା ଟିଏରା ଡେଲ୍ ଫ୍ୟୁଗୋ ନାମକ ଏକ ଦ୍ବୀପରେ ବସବାସ କରୁଥିବା ଆଦିବାସୀମାନେ ୟାଘାନ୍‌ ଭାଷାରେ କଥା ହେଉଥିଲେ। ଏହି ଭାଷାକୁ ସଂସ୍କୃତ ଭାଷାର ସମନ୍ବୟ ବୋଲି ବିବେଚନା କରାଯାଏ।

ତେବେ ବର୍ତ୍ତମାନ ସମୟରେ ଏକମାତ୍ର ବୃଦ୍ଧ ମହିଳା ଏହି ଭାଷାକୁ କହିପାରୁଛନ୍ତି। ଏହି ଭାଷା କହୁଥିବା ମହିଳାଙ୍କ ନାଁ ହେଉଛି କ୍ରିଷ୍ଟିନା କାଲ୍‌ଡେରନ୍‌। କ୍ରିଷ୍ଟିନାଙ୍କୁ ସ୍ଥାନୀୟ ଲୋକେ ଅବଦୁଲା ଡାକନ୍ତି। ଅବଦୁଲା ଏକ ସ୍ପାନିସ୍‌ ଶବ୍ଦ। ଯାହାର ଅର୍ଥ ଜେଜେମା।

ୟାଘାନ୍‌ ଭାଷାର ଅସ୍ତିତ୍ବ ବଜାୟ ରଖିବା ପାଇଁ କ୍ରିଷ୍ଟିନାଙ୍କୁ ଅନେକ ଥର ସମ୍ମାନିତ କରାଯାଇଛି। ୨୦୦୯ରେ ଚିଲି ସରକାର ତାଙ୍କୁ ‘ଜୀବନ୍ତ ମାନବ ଭଣ୍ଡାର’ର ଅର୍ଥାତ୍ ‘ଲିଭିଙ୍ଗ୍‌ ହ୍ୟୁମାନ୍‌ ଟ୍ରେଜର୍‌’ର ଆଖ୍ୟା ଦେଇଥିଲେ। ଏହି ଆୱାର୍ଡ ବିଶେଷ କରି ସେମାନଙ୍କୁ ଦିଆଯାଇଥାଏ ଯେଉଁମାନେ ସଂସ୍କୃତିକୁ ବଞ୍ଚାଇ ରଖିବାରେ ବଡ଼ ଭୂମିକା ଗ୍ରହଣ କରିଥାନ୍ତି।

ତେବେ ୟାଘାନ୍‌ କେବଳ ଏକ ଭାଷା ନୁହେଁ ବରଂ ଏକ ଆଦିବାସୀ ସମ୍ପ୍ରଦାୟଙ୍କ ନାଁ ଥିଲା। ଯେଉଁମାନେ ଦକ୍ଷିଣ ଆମେରିକା ଦେଇ ଚିଲି ଏବଂ ଆର୍ଜେଣ୍ଟିନାରେ ପହଞ୍ଚିଥିଲେ। ତେବେ ୟାଘାନ୍‌ ଭାଷାକୁ ବଞ୍ଚାଇ ରଖିବା ପାଇଁ ସରକାରଙ୍କ ସହାୟତାରେ କ୍ରିଷ୍ଟିନା ପ୍ରଚାର ପ୍ରସାର ମଧ୍ୟ କରୁଛନ୍ତି। ସେଠାକାର ସ୍ଥାନୀୟ ସ୍କୁଲ୍‌ରେ ପିଲାମାନଙ୍କୁ କ୍ରିଷ୍ଟିନା ଏହି ଭାଷା ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ପ୍ରଦାନ କରୁଛନ୍ତି।

Leave A Reply

Your email address will not be published.