Latest Odisha News

ପୁଣି ଛୁଆ ଦେଲା ଘଡ଼ିଆଳ ମା’ କୁମ୍ଭୀର, ଛୁଆଙ୍କୁ ଜଗିଛି ବନ ବିଭାଗର ୩ ଦଳ

ଅନୁଗୁଳ: ସାତକୋଶିଆ ଗଣ୍ତରେ ୩୫ଟି ଘଡ଼ିଆଳ କୁମ୍ଭୀର ଜନ୍ମଗ୍ରହଣ କରିଛନ୍ତି। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଦେଇ ଯାଇଥିବା ମହାନଦୀରେ ଘଡ଼ିଆଳ ମା’ କୁମ୍ଭୀର ପୁଣି ଛୁଆ ଦେଇଛି। ମୋଟ ୩୫ଟି ଅଣ୍ଡା ମଧ୍ୟରୁ ସମସ୍ତ ଛୁଆ ଫୁଟି ବାରିଛନ୍ତି। ସମସ୍ତେ ସୁରକ୍ଷିତ ଅଛନ୍ତି। ସମସ୍ତ ଛୁଆ ଫୁଟି ଏବେ ମାଆ କୁମ୍ଭୀର କୋଳରେ ଖେଳୁଛନ୍ତି। ଛୁଆଙ୍କୁ ଜଗିଛି ବନ ବିଭାଗର ୩ ଦଳ।

ଭାରତର ଦକ୍ଷିଣାଞ୍ଚଳ ଭାବେ ମହାନଦୀ ହେଉଛି ଘଡ଼ିଆଳଙ୍କ ଶେଷ ସ୍ଥାନ। ୪ ଦଶନ୍ଧି ପରେ କ୍ରମାଗତ ୪ର୍ଥ ଥର ପାଇଁ ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରାକୃତିକ ଭାବେ ଘଡ଼ିଆଳ ପ୍ରଜନନ କରିଛନ୍ତି। ଘଡ଼ିଆଳଙ୍କ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ସହ କଡ଼ା ନଜର ରଖିଛନ୍ତି। ଭାରତରେ ଦେଖାଯାଉଥିବା ତିନି ପ୍ରଜାତିର କୁମ୍ଭୀର ଯଥା ଘଡ଼ିଆଳ, ମଗର ଓ ସଲ୍ଟୱାଟର କୁମ୍ଭୀର ରହିଛନ୍ତି। ଚଳିତ ବର୍ଷ ଗତ ୨୪ ତାରିଖରେ ଏହି ଘଡ଼ିଆଳ ମାଆ କୁମ୍ଭୀର ପୁଣି ୩୫ଟି ଶାବକଙ୍କୁ ମହାନଦୀ ବକ୍ଷକୁ ଆଣିଛି। ମାଆ କୁମ୍ଭୀର ସହ ଶାବକଗୁଡ଼ିକ ମଝିପଡ଼ା-ବଳଦମରା ନିକଟରେ ମହାନଦୀ କୂଳରେ ଖେଳୁଛନ୍ତି।

ଛୁଆଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଘଡ଼ିଆଳ ମାଆ ଓ ଛୁଆଙ୍କ ଗତିବିଧି ଉପରେ ନଜର ରଖିବାକୁ ଏକ ମନିଟରିଂ ଟିମ୍ ଗଠନ କରାଯାଇଛି। ଏହି ଟିମ୍‌ ଏକ ଦେଶୀ ଡଙ୍ଗାରେ ଯାଇ ସେଠାରେ ପଇଁତରା ମାରୁଛି। ସେହିପରି ଘଡ଼ିଆଳ ମାଆ, ଛୁଆଙ୍କ ପାଇଁ ବନ ବିଭାଗ ପକ୍ଷରୁ ଏକ ୨୪ ଘଣ୍ଟିଆ ସୁରକ୍ଷା ଟିମ୍ ଗଠନ କରାଯାଇଛି। ଏଥିସହ ସେଠାରେ ଏକ ପିଟିଜେଡ୍ କ୍ୟାମେରା ଖଞ୍ଜାଯାଇଛି।

Comments are closed.