Latest Odisha News

BREAKING NEWS

ପୁତୁରାର ଟାଙ୍ଗିଆ ଚୋଟରେ ମାଆ-ଝିଅ ଗୁରୁତର, ଅଭିଯୁକ୍ତ ଗିରଫ

ବରଗଡ଼ : ଅତାବିରା ବ୍ଲକ ଅମଲିପାଲି ପଞ୍ଚାୟତ ଗୁତୀ ପାଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଯାଇଛି। ପୁତୁରାର ଟାଙ୍ଗିଆ ଚୋଟରେ ମାଆ-ଝିଅ ଗୁରୁତର ହୋଇଛନ୍ତି। ସାମାନ୍ୟ ଘରୋଇ କଳହକୁ ନେଇ ଜଣେ ବ୍ୟକ୍ତି ତାର ସମ୍ପର୍କୀୟ ବଡ ମାଆ ଓ ଝିଆରୀକୁ ଟାଙ୍ଗିଆରେ ହାଣି ମାରିବା ପାଇଁ ମରଣାନ୍ତକ ଆକ୍ରମଣ କରିଛି। ଉଭୟ ଗୁରୁତର ବୁର୍ଲାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନାନୁଯାୟୀ, ଉକ୍ତ ଗ୍ରାମର ଲୋକନାଥ ଜାମଦୁଳିଆ ଓ ଜଗ ଜାମଦୁଳିଆ ସମ୍ପର୍କୀୟ ଭାଇ। ଉଭୟଙ୍କ ଘର ପାଖାପାଖି ରହିଛି। ଲୋକନାଥ, ଜଗଙ୍କ ବାରି ପଟେ ଖାଲି ପଡ଼ିଥିବାରୁ ସେଠାରେ ଘରର ବ୍ୟବହୃତ ପାଣି ପକେଇ ଆସୁଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ପ୍ରାୟତଃ ବଚସା ଲାଗି ରହୁଥିଲା। ତେବେ ଆଜି ଉଭୟ ପରିବାର ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ଆରମ୍ଭ ହୋଇଥିଲା।

ଲୋକନାଥଙ୍କ ପୁଅ ଆଶିଷ କ୍ରୋଧରେ ଟାଙ୍ଗିଆ ଧରି ଦଉଡ଼ି ଯାଇ ଉମାକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଉମାଙ୍କର ବାମ ପଟ ଅଣ୍ଟା ଓ ପେଟରେ ଟାଙ୍ଗିଆ ଚୋଟ ମାରିଥିବା ବେଳେ ତାଙ୍କୁ ଛଡ଼ାଇବା ପାଇଁ ଆସିଥିବା ଝିଅ ନେହାର ବାମ କାନ୍ଧରେ ମଧ୍ୟ ଟାଙ୍ଗିଆରେ ଚୋଟ ମାରି ଫେରାର ମାରିଥିଲା ଆଶିଷ। ଫଳରେ ଉଭୟ ମାଆ ଝିଅ ଗୁରୁତର ହୋଇଥିଲେ। ଖବର ପାଇ ଅତାବିରା ପୋଲିସ ପହଞ୍ଚି ଗୁରୁତର ମାଆ ଓ ଝିଅଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇ ଏହା ଉପରେ ତଦନ୍ତ ଆରମ୍ଭ କରିଥିଲେ। ସେହିପରି ଘଟଣାସ୍ଥଳରୁ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେଲା ପୋଲିସ।

Leave A Reply

Your email address will not be published.