Latest Odisha News

ବିବାହ ପାଇଁ ମନା କରିବାରୁ ଯୁବକଙ୍କୁ ଏସିଡ୍ ମାଡ କଲେ ମହିଳା

ପାଟନା: ଅଧିକାଂଶ ସମୟରେ ମହିଳା ବା ଛାତ୍ରୀଙ୍କ ଉପରେ ଏସିଡ ଫିଙ୍ଗା ଯାଇଥିବା ଖବର ସାମନାକୁ ଆସିଛି । ମାତ୍ର ବିହାର ବୈଶାଳୀ ଜିଲ୍ଲାରେ ପ୍ରେମିକ ଉପରକୁ ଏସିଡ ମାଡ କରିଛି ପ୍ରେମିକା । ଆଉ ଏସିଡ ଫିଙ୍ଗିଥିବା ପ୍ରେମିକା ତିନି ଥର ବିବାହ କରିସାରିଥିବା ଜଣେ ମହିଳା । ମହିଳା ଜଣଙ୍କ ସେହି ବ୍ୟକ୍ତିଙ୍କୁ ବିବାହ କରିବାକୁ ଚାହୁଁଥିଲେ ମାତ୍ର ସେ ମନା କରିବାକୁ ଏପରି କାଣ୍ଡ ଭିଆଇଛନ୍ତି । ପୋଲିସ ଅଭିଯୁକ୍ତ ମହିଳା ସରିତା କୁମାରୀଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଏସିଡ ମାଡରେ ଆହତ ଯୁବକ ପାଟପୁର ଥାନା ଦୁର୍ଗାପୁର ସିଂୱାରା ଗାଁର ଧର୍ମେନ୍ଦ୍ର କୁମାର । ଅଭିଯୁକ୍ତ ମହିଳା ପୂର୍ବରୁ ତିନିଥର ବିବାହ କରିଛନ୍ତି ଓ ତାଙ୍କର ୩ଟି ସନ୍ତାନ ମଧ୍ୟ ରହିଛି । ଛାତ୍ରପତ୍ର ପରେ ମହିଳା ଜଣକ ଧର୍ମେନ୍ଦ୍ର କୁମାରଙ୍କୁ ବିବାହ କରିବାକୁ ଚାହୁଁଥିଲେ । ମାତ୍ର ଧର୍ମେନ୍ଦ୍ର ବିବାହ ପାଇଁ ରାଜି ହୋଇନଥିଲେ । ଏହାପରେ ସରିତା ଧର୍ମେନ୍ଦ୍ରଙ୍କୁ ବିଳମ୍ୱିତ ରାତି ପ୍ରାୟ ୨ଟାରେ ଡାକି ଏସିଡ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଚିତ୍କାର ଶୁଣି ଧର୍ମେନ୍ଦ୍ରଙ୍କ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ହାଜିପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଧର୍ମେନ୍ଦ୍ର ।

ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ୬ଘଣ୍ଟା ମଧ୍ୟରେ ଗିରଫ କରିଛି । ପାଟପୁର ଥାନା ଇନଚାର୍ଜ ଶିବନ୍ଦ୍ର ନାରାୟଣ ସିଂ କହିଛନ୍ତି, ପଚରାଉଚରା ବେଳେ ସରିତା ଏସିଡ ଫିଙ୍ଗିଥିବା ସ୍ୱୀକାର କରିଛନ୍ତି । ସେ ଧର୍ମେନ୍ଦ୍ରଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ମାତ୍ର ଧର୍ମେନ୍ଦ୍ର ସିଧା ମନା କରିଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସେ ଏସିଡ ଫିଙ୍ଗିଥିଲେ । ଏଥିରେ ଅନ୍ୟ ଜଣେ ବ୍ୟକ୍ତିଙ୍କର ସଂପୃକ୍ତି ଥିବା ପୋଲିସ ସୂଚନା ଦେଇଛି ।

Comments are closed.