Latest Odisha News

BREAKING NEWS

କିସ୍ ଓ ୟୁଏନ୍‍ଡିପି ମଧ୍ୟରେ ବୁଝାମଣା

ଭୁବନେଶ୍ବର : ଓଡ଼ିଶାରେ ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି କିସ୍‍ ଓ ୟୁଏନ୍‍ଡିପି ମଧ୍ୟରେ ହୋଇଛି ବୁଝାମଣା । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ୟୁଏନ୍‍ଡିପିର ଭାରତ ମୁଖ୍ୟ ଶୋକା ନୋଡା ଏହି ବୁଝାମଣା ପତ୍ରରେ ସ୍ବାକ୍ଷର କରିଛନ୍ତି । ବୁଝାମଣା ଅନୁଯାୟୀ ୟୁଏନ୍‍ଡିପି ଓ କିସ୍‍ ମିଳିତ ଭାବେ ସ୍ଥାୟୀ ବିକାଶ ଲକ୍ଷ୍ୟ ପର୍ଯ୍ୟବେସିତ ଜନଜାତି ଗବେଷଣା କାର୍ଯ୍ୟକ୍ରମ, କ୍ୟାରିଅର ମାର୍ଗଦର୍ଶନ ଜରିଆରେ ଜନଜାତି ଛାତ୍ରଛାତ୍ରୀଙ୍କୁ ଦକ୍ଷ କରାଇବା, ପ୍ରାକୃତିକ ସମ୍ବଳ ବିଶେଷ କରି ଜଳ ଓ ଜୈବମଣ୍ଡଳର ପରିଚାଳନା କରି ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ସେଠାକାର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବେ ।

ଏହି ଅବସରରେ ୟୁଏନ୍‍ଡିପିର ଭାରତ ମୁଖ୍ୟ ନୋଡା କହିଛନ୍ତି ଯେ, କିସ୍‍ ହେଉଛି ସ୍ଥାୟୀ ବିକାଶ ଲକ୍ଷ୍ୟର ଏକ ଜ୍ବଳନ୍ତ ଉଦାହରଣ । କିସ୍‍ ଏବଂ ୟୁଏନ୍‍ଡିପି ଉଭୟ କ୍ଷୁଧା ଓ ଦାରିଦ୍ର‌୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ଜନଜାତି ଅଧ୍ୟୁଷିତ ଅଞ୍ଚଳର ସାମଗ୍ରିକ ବିକାଶ ଲାଗି କିସ୍‍ ସହ ୟୁଏନ୍‍ଡିପି କାର୍ଯ୍ୟ କରିବାକୁ ଯାଉଥିବାରୁ ସେ ବେଶ ଖୁସି ବୋଲି କହିଥିଲେ । ୟୁଏନ୍‍ଡିପି କିସ୍‍ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଯାଉଥିବାରୁ ଧନ୍ୟବାଦ ଜଣାଇଛନ୍ତି ଅଚ୍ୟୁତ ସାମନ୍ତ । ଦାରିଦ୍ର‌୍ୟ ଓ କ୍ଷୁଧା ଦୂରୀକରଣ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରଣ ଦିଗରେ କିସ୍‍ ଦୀର୍ଘ ୩ ଦଶନ୍ଧୀ ଧରି କାର୍ଯ୍ୟ କରିଆସୁଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୟୁଏନ୍‍ଡିପି ଓଡ଼ିଶା ମୁଖ୍ୟ ଆଭା ମିଶ୍ର, ୟୁନ୍‍ଏନ୍‍ଡିପିର ବରିଷ୍ଠ ପଦାଧିକାରୀ, କିସ୍‍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ ବେହେରା, କୁଳସଚିବ ଡ. ପ୍ରଶାନ୍ତ କୁମାର ରାଉତରାୟ, କିଟ୍‍ ବିଶ୍ବବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କ ସମେତ କିଟ୍‍ ଓ କିସ୍‍ର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.