Latest Odisha News

BREAKING NEWS

ଓଡ଼ିଶା ସରକାର ଓ ଏନଆଇଇପିଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର;ଲକ୍ଷ୍ୟ ମାନସିକ ଅନଗ୍ରସର ବ୍ୟକ୍ତି…

ଭୁବନେଶ୍ୱର: ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜାତୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ସଂସ୍ଥା (ଏନଆଇଇପିଆଇଡି) ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ ) ସ୍ୱାକ୍ଷରିତ ହୋଇଯାଇଛି। ଏହି ବୁଝାମଣାପତ୍ର ମାଧ୍ୟମରେ ରାଜ୍ୟରେ ମାନସିକ ଅନଗ୍ରସର ଥିବା ବ୍ୟକ୍ତିଙ୍କ ପାଇଁ ଶୀଘ୍ର ଚିହ୍ନଟ, ଶିକ୍ଷା, ଦକ୍ଷତା ବିକାଶ ଓ ସଚେତନତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟ ରହିଛି।

ଏହି ବୁଝାମଣାପତ୍ର ଅନୁଯାୟୀ, ବିଭାଗ ଅଧୀନସ୍ଥ ଗ୍ରାଣ୍ଟ-ଇନ୍-ଏଡ୍ ବିଶେଷ ବିଦ୍ୟାଳୟଗୁଡ଼ିକରେ ଏନଆଇଇପିଆଇଡି ଦ୍ୱାରା ବିକଶିତ ପାଠ୍ୟକ୍ରମ ଢାଞ୍ଚାକୁ କାର୍ଯ୍ୟକାରୀ କରାଯିବ। ଏହା ମାଧ୍ୟମରେ ମାନସିକ ଅନଗ୍ରସର ଥିବା ଶିଶୁମାନଙ୍କ ପାଇଁ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବ ।

ଏହି ସହଯୋଗର ଅଂଶ ଭାବେ ତ୍ଵରିତ ଚିହ୍ନଟ ଓ ତୁରନ୍ତ ପଦକ୍ଷେପ, ବିଶେଷଜ୍ଞ ଶିକ୍ଷକ, ଦେଖାଶୁଣା କରିବା ବ୍ୟକ୍ତି ଓ ଆଗଧାଡିର କର୍ମୀମାନଙ୍କ ପାଇଁ ପ୍ରଶିକ୍ଷଣ, ଗବେଷଣା, ଡକ୍ୟୁମେଣ୍ଟେସନ୍ ଏବଂ ସାମାଜିକ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ।

ଏମଓୟୁର କାର୍ଯ୍ୟାନ୍ୱୟନ ଓ ପର୍ଯ୍ୟବେକ୍ଷଣ ପାଇଁ ଏସଏସଇପିଡି ଓ ଏନଆଇଇପିଆଇଡି ପ୍ରତିନିଧିମାନଙ୍କ ସହିତ ଏକ ଯୁଗ୍ମ ସମନ୍ୱୟ କମିଟି ଗଠନ କରାଯିବ । ଏହି ଏମଓୟୁ ୩ ବର୍ଷ ଯାଏଁ, ଅର୍ଥାତ୍ ୧୬ ଜାନୁଆରୀ ୨୦୨୬ ଠାରୁ ୧୫ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ବଳବତ୍ତ ରହିବ।

ଏହି ବୁଝାମଣା ରାଜ୍ୟରେ ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ପାଇଁ ସାମଗ୍ରିକ ବିକାଶ ଓ ସଶକ୍ତିକରଣ ଉଦ୍ୟମକୁ ନୂତନ ଦିଗ ପ୍ରଦାନ କରିବ। ଏହି ବୁଝାମଣାପତ୍ର ସ୍ଵାକ୍ଷର ସମୟରେ ଓଡିଶା ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାସ୍କର ରଇତ ଏବଂ ଉପ-ଶାସନ ସଚିବ ସନ୍ନ୍ୟାସୀ କୁମାର ବେହେରା ଓ ଶ୍ରୀ ବସନ୍ତ କୁମାର ବେହେରା ଏବଂ ଏନଆଇଇପିଆଇଡି ପକ୍ଷରୁ ଡ଼ ଗଣେଶ ଶେରଗାର୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.