Latest Odisha News

କାହିଁକି ନେପାଳରେ ହେଉଛି ଏତେ ବିମାନ ଦୁର୍ଘଟଣା?

ନୂଆଦିଲ୍ଲୀ: ନେପାଳ ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୟଙ୍କର ଦୁର୍ଘଟଣା। ସୌର୍ଯ୍ୟ ଏୟାରଲାଇନ୍ସର ଏହି ବିମାନଟି କାଠମାଣ୍ଡୁରୁ ପୋଖରାକୁ ଉଡାଣ ଭରୁଥିଲା। ତେବେ ଟେକଅଫ୍ କରିବା ସମୟରେ ହିଁ ହେଲା ବଡ଼ ଦୁର୍ଘଟଣା। ବିମାନରେ ଥିବା ୧୮ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ତେବେ ନେପାଳରେ ବିମାନ ଦୁର୍ଘଟଣା ନୂଆ ନୁହେଁ । ଗତବର୍ଷ ଜାନୁଆରୀରେ ବି ବଡ ଦୁର୍ଘଟଣା ହୋଇଥିଲା, ଏଥିରେ ବିମାନରେ ଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ । ଦେଶରେ ୧୯୫୫ପରେ ୧୦୪ରୁ ଅଧିକ ବିମାନ ଦୁର୍ଘଟଣା ରେକର୍ଡ କରାଯାଇଛି ।

କାହିଁକି ହେଉଛି ଦୁର୍ଘଟଣା?

ନେପାଳରେ ବାରମ୍ବାର ବିମାନ ଦୁର୍ଘଟଣା ପଛରେ ଦେଶର ଭୌଗଳିକ ସ୍ଥିତି ପ୍ରମୁଖ କାରଣ । ଦୁନିଆର ୧୪ଟି ସବୁଠୁ ଉଚ୍ଚ ପାହାଡ ମଧ୍ୟରୁ କେବଳ ନେପାଳରେ ରହିଛି ୮ଟି ପାହାଡ଼ । ମାଉଣ୍ଟ ଏଭେରେଷ୍ଟ ଏହା ମଧ୍ୟରୁ ଅନ୍ୟତମ । ବିମାନ ଉଡ଼ାଣ ପାଇଁ ଏସବୁ ପାହାଡ ବେଶ ବିପଜ୍ଜନକ । ଖରାପ ପାଣିପାଗ ସମୟରେ ବିପଦ ଆହୁରି ବଢିଯାଏ । ବିଶେଷ କରି ମୌସୁମୀ ବର୍ଷା ସମୟରେ ନେପାଳର ଆଭିଏସନ୍ ଇଣ୍ଡଷ୍ଟ୍ରୀ କମ୍ ଜାଗାରେ ଟେକଅଫ୍ ଓ ଲ୍ୟାଣ୍ଡ କରିପାରୁଥିବା ଅଳ୍ପ କିଛି ବିମାନ ଉପରେ ହିଁ ଭରସା କରିପାରେ ।

ଛୋଟ ବିମାନକୁ ବେଶୀ ଡର

ପାହାଡ଼ ମଧ୍ୟରେ ରହିଥିବା ସ୍ଥାନକୁ ଯିବା ପାଇଁ ଛୋଟ ବିମାନ ଉପରେ ଅଧିକ ଭରସା କରେ ନେପାଳର ଆଭିଏସନ୍ ଇଣ୍ଡଷ୍ଟ୍ରୀ । ଏଭଳି ବିମାନ ପାଇଁ ଉଡାଣ ଭରିବା ଓ ଲ୍ୟାଣ୍ଡ କରିବା ପାଇଁ ବେଶୀ ଜାଗାର ଆବଶ୍ୟକତା ପଡେନି । ତେବେ ଛୋଟ ବିମାନ ପାଇଁ ଅଧିକ ବିପଦ ରହିଥିବା କୁହାଯାଉଛି । ୧୯ସିଟର ବିମାନ ଶୀଘ୍ର ସନ୍ତୁଳନ ହରାଇବା ସହ ଦୁର୍ଘଟଣାର ଶିକାର ହେବାର ଅଧିକ ଆଶଙ୍କା ରହିଛି ।

ନେପାଳରେ ବିପଜ୍ଜନକ ବିମାନବନ୍ଦର

ନେପାଳର ତେନଜିଂ ହିଲେରୀ ବା ଲୁକ୍ଲା ଏୟାରପୋର୍ଟ ଦୁନିଆର ଅନ୍ୟତମ ବିପଜ୍ଜନକ ବିମାନବନ୍ଦର । ମାଉଣ୍ଟ ଏଭରେଷ୍ଟ ନିକଟରେ ନିର୍ମିତ ଏହି ଏୟାରପୋର୍ଟ ୯ହଜାର ୩୨୫ ଫୁଟ୍ ଉଚ୍ଚରେ ରହିଛି । କମ୍ ଦୂରତାର ରନଓ୍ବେ ରହିଥିବାରୁ ଏଠାରେ କେବଳ ଛୋଟ ବିମାନ ହିଁ ଅବତରଣ କରିପାରିବେ । ଗୋଟିଏ ପଟେ ପାହାଡ ତ ଅନ୍ୟ ପଟେ ଖାଇ ରହିଛି । ତେଣୁ ଏହାକୁ ବିଶ୍ବର ଅନ୍ୟତମ ବିପଜ୍ଜନକ ବିମାନବନ୍ଦର ବି କୁହାଯାଏ । ନେପାଳରେ ବାରମ୍ବାର ଚେତାବନୀ ପରେ ବି ପୁରୁଣା ଏୟାରକ୍ରାଫ୍ଟ ବ୍ୟବହାର କରାଯାଉଛି । ଖରାପ ପାଣିପାଗ ବେଳେ ଏହା ଭରସାଯୋଗ୍ୟ ହେଉନି ।

ନେପାଳରେ ଘରୋଇ ବିମାନ ଉଡାଣ ପାଇଁ ପାଇଲଟ୍ ଭିଜୁଆଲ୍ ଫ୍ଲାଇଟ୍ ରୁଲ୍ ବା ଭିଏଫଆର ଆପଣାନ୍ତି । ଅର୍ଥାତ ବାହାରକୁ ଦେଖି ବିମାନକୁ ନାଭିଗେଟ୍ ଓ ନିୟନ୍ତ୍ରଣ କରନ୍ତି । ଏଭଳି ସ୍ଥିତିରେ ପାଣିପାଗରେ ପରିବର୍ତ୍ତନ ହେଲେ ସ୍ଥିତି ବିଗିଡିବା ଆଶଙ୍କା ରହିଛି । ନେପାଳରେ ପାଣିପାଗ ସଙ୍ଗେ ସଙ୍ଗେ ପରିବର୍ତ୍ତନ ହେଉଥିବା ବେଳେ ଭିଏଫଆର ନିୟମ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ । ଏହାକୁ ନେଇ ଅନେକ ସମୟରେ ବିବାଦ ବି ହୋଇଛି ।

Comments are closed.