Latest Odisha News

BREAKING NEWS

କେନ୍ଦ୍ରାପଡାରେ ସ୍ଥାପନ ହେବ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ଚିକତ୍ସାଳୟ 

ଭୁବନେଶ୍ୱର: ଖୁବ୍ ଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ୍ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବ। ଫଳରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି।

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅନୁରୋଧକ୍ରମେ ପ୍ରଶାନ୍ତି ବାଲ୍ ମନ୍ଦିର ଟ୍ରଷ୍ଟ କେନ୍ଦ୍ରାପଡାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଷାଲିଷ୍ଟ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିବା ପରେ ସାଂସଦ ଗତ ଏପ୍ରିଲ ୨୮ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ଏହି ପ୍ରକଳ୍ପ ବାବଦରେ ବିସ୍ତୃତ ଆଲୋଚନା କରି ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇଦେବାକୁ ଅନୁରୋଧ କରିଥିଲେ।

ପ୍ରଶାନ୍ତି ବାଲ୍ ମନ୍ଦିର ଟ୍ରଷ୍ଟର ଓଡ଼ିଶାରେ ଏହା ପ୍ରଥମ ଚିକିତ୍ସାଳୟ ହେବାକୁ ଥିଲାବେଳେ ଏଥିପାଇଁ ଆବଶ୍ୟକୀୟ ୧୦ ଏକର ଜମି କେନ୍ଦ୍ରାପଡ଼ା ସ୍ଥିତ ଡେରାବିଶ ବ୍ଲକ ଠାରେ ଚିହ୍ନଟ କରାଯାଇଛି। ଏହି ଚିକିତ୍ସାଳୟରେ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା କେନ୍ଦ୍ରାପଡ଼ା ଜିଲ୍ଲାର ଜନସାଧାରଣ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ସେବା ପାଇବେ। ପ୍ରାଥମିକ ସ୍ତରରେ ଏହି ଅନୁଷ୍ଠାନ ଆନୁକୁଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଓପିଡି ଖୋଲାଯିବ। ଏଥିସହ ବିଭିନ୍ନ ବିଭାଗର ଅନୁନ୍ୟ ୧୦ ଜଣ ଅଭିଜ୍ଞ ଡାକ୍ତରଙ୍କ ସହଯୋଗରେ ରୋଗୀସେବା ଯୋଗାଇଦେବା ପାଇଁ ନିକଟରେ ଦିଆଯାଇଥିବା ପ୍ରସ୍ତାବ ଉପରେ ଜିଲ୍ଲା ପ୍ରଶାସନ ସହମତି ପ୍ରକାଶ କରିଛନ୍ତି।

ସେହିପରି ଗତକାଲି ପ୍ରଶାନ୍ତି ବାଲ ମନ୍ଦିର ଟ୍ରଷ୍ଟର ଅଧିକାରୀ ମାନେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ କ୍ଷେତ୍ର ପରିଦର୍ଶନ କରିବା ସହ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରିଛନ୍ତି। ଆଉ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ବିସ୍ତୃତ ଆଲୋଚନା ପରେ ଏହି ଚିକିତ୍ସାଳୟ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସେ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

Comments are closed.