Latest Odisha News

BREAKING NEWS

ଏକାଧିକ ଘୂର୍ଣ୍ଣିବଳୟର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଉଛି ଓଡ଼ିଶା

ଭୁବନେଶ୍ବର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକାଧିକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର । ଗୋଟିଏ ଘୂର୍ଣ୍ଣିବଳୟ ବର୍ତ୍ତମାନ ବଙ୍ଗୋପସାଗରରେ ରହିଥିବା ବେଳେ, ଆଗାମୀ କିଛି ଦିନ ମଧ୍ୟରେ ଏକାଧିକ ଲଘୁଚାପ କେନ୍ଦ୍ରୀଭୂତ ହେବ । ଏନେଇ ସୂଚନା ଦେଇଛନ୍ତି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।

ଏହି ଘୂର୍ଣ୍ଣିବଳୟ ଗୁଡିକ ଦକ୍ଷିଣ ଚାଇନା ସାଗରରୁ ପଶ୍ଚିମ ଦିଗକୁ ଗତି କରି ମିଆଁମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡ଼କୁ ମୁହାଁଉଛି । ଏହା ମଧ୍ୟରୁ ଗୋଟିଏ ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିର ରହିଛି । ଏହାର ପ୍ରଭାବରେ ଓଡିଶାର ଅଧିକାଂଶ ସ୍ଥାନରେ ୨୩ ତାରିଖ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୨୦ ରୁ ୨୨ ତାରିଖ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ଦେବଗଡ, ସମ୍ବଲପୁର, ବରଗଡ, ବଲାଙ୍ଗୀର, କନ୍ଧମାଳ, ଢେଙ୍କାନାଳ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସେପ୍ଟେମ୍ବର ୨୪ ତାରିଖରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ସେପ୍ଟେମ୍ବର ୨୬ ତାରିଖରେ ଏହା ଅବପାତର ରୂପ ନେବାର ସମ୍ଭାବନା ଥିବା ଜଣାପଡିଛି । ଏହାର ପ୍ରଭାବରେ ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ଭଦ୍ରକ ଜିଲ୍ଲା ଦେଇ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି । ସେହିପରି ଅନ୍ୟ ଏକ ଘୂର୍ଣ୍ଣିବଳୟ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସେପ୍ଟେମ୍ବର ୨୬ ତାରିଖରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ଥିବା ବେଳେ, ୨୮ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି କହିଛନ୍ତି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।

Leave A Reply

Your email address will not be published.