ମୁମ୍ବାଇ: ମୁମ୍ବାଇର କୁର୍ଲା ଅଞ୍ଚଳରେ ଗତକାଲି ରାତିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବେଳକୁ ବେଳ ବଢୁଛି ମୃତ୍ୟୁ ସଂଖ୍ୟା l ଏଥିସହ ଆହତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି l ଗତକାଲି ରାତିରେ ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ଅନ୍ୟ ଗାଡି ମାନଙ୍କୁ ଧକ୍କା ଦେଲା ବେଷ୍ଟ ବସ୍ । ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ଭାଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ସେଠାରେ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଏବେ ବଢିଛି ମୃତ୍ୟୁ ସଂଖ୍ୟା l
ସଦ୍ୟତମ ଖବର ଅନୁସାରେ, ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ମୋଟ 49 ଜଣ ଆହତ ହୋଇଥିବା ବେଳେ 7 ଜଣଙ୍କର ମୃତ୍ୟୁ ହୋଇଛି। ଏହି ମାମଲାରେ ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି l ପୋଲିସର ସୂଚନା ଅନୁସାରେ, ଘଟଣା ଘଟିବା ସମୟରେ ବସ୍ରେ ପ୍ରାୟ 60 ଜଣ ଯାତ୍ରୀ ଥିଲେ। ଏହି ଘଟଣାରେ ତିନି ଜଣ ପୋଲିସ କର୍ମଚାରୀ ଏବଂ ଜଣେ ଏମଏସଏଫ (ମହାରାଷ୍ଟ୍ର ସୁରକ୍ଷା ବଳ) କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଜଣେ ସବ୍-ଇନ୍ସପେକ୍ଟର ମଧ୍ୟ ଆହତ ହୋଇଥିବାବେଳେ 20-25 ଗାଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅଭିଯୁକ୍ତ ଡ୍ରାଇଭର ସଞ୍ଜୟ ମୋରେ (54 ବର୍ଷ) ଗତ ଡିସେମ୍ବର 1 ରେ ଏହି ପଦରେ ନିଯୁକ୍ତ ହୋଇଥିଲେ। ଚୁକ୍ତିରେ ଡ୍ରାଇଭରକୁ ନିଯୁକ୍ତି ଦିଆଯାଇଥିଲା l ଅଭିଯୁକ୍ତ ଡ୍ରାଇଭରଙ୍କର ପୂର୍ବରୁ ବସ୍ ଚଳାଇବାର କୌଣସି ଅଭିଜ୍ଞତା ନଥିଲା।
ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୧୦.୩୦ରେ ଏହି ଦୁର୍ଘଟଣା ଘଟିଥିଲା । ଅଞ୍ଜୁମ-ଏ-ଇସଲାମ ସ୍କୁଲ ନିକଟ ଏଲ ୱାର୍ଡ ସମ୍ମୁଖରେ ଏସଜି ବର୍ବେ ରୋଡରେ ଭାରସ୍ୟାମ ହରାଇ ଏକ ବସ୍ ରାସ୍ତା କଡରେ ଥିବା ଅନ୍ୟ ଗାଡି ଗୁଡିକୁ ଜୋରେ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଉଦ୍ଧାରକାରୀ ଦଳ ଓ ପୋଲିସ । ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଭାଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ । ଏବେ ବେଳକୁ ବେଳ ମୃତ୍ୟୁ ସଂଖ୍ୟା ବଢିଛି l
Comments are closed.