Latest Odisha News

BREAKING NEWS

ମୃତ୍ୟୁର ଦୁଇ ଦିନ ପରେ ମୃତକଙ୍କୁ ମିଳିଲା ଜାମିନ

ମୁମ୍ବାଇ: ମୃତ୍ୟୁର ଦୁଇ ଦିନ ପରେ ଜଣେ ବ୍ୟକ୍ତିଙ୍କୁ ମିଳିଲା “ଚିକିତ୍ସା ଏବଂ ମାନବ ଅଧିକାର” ଆଧାରରେ ଅସ୍ଥାୟୀ ଜାମିନ। ଏକ ଠକେଇ ମାମଲାରେ ଗିରଫ ହୋଇଥିବା ୬୨ ବର୍ଷିୟ ବ୍ୟକ୍ତିର ମୃତ୍ୟୁ ପରେ ମୁମ୍ବାଇ କୋର୍ଟ ଅସ୍ଥାୟୀ ଜାମିନ ପ୍ରଦାନ କରିଛନ୍ତି। ମେ ୯ ତାରିଖରେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହେବାର କିଛି ଘଣ୍ଟା ପରେ ସୁରେଶ ପାୱାରଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିରିକ୍ତ ଅଧିବେଶନ ଜଜ୍ ବିଶାଲ ଏସ୍ ଗାଇକେ ତାଙ୍କୁ ଦୁଇ ଦିନ ପରେ ଅସ୍ଥାୟୀ ଜାମିନ ପ୍ରଦାନ କରିଥିଲେ। ଜାଲ୍ ଡକ୍ୟୁମେଣ୍ଟ୍ ଆଧାରରେ ରିଅଲ୍ ଇଷ୍ଟେଟ୍ ଏଜେଣ୍ଟକୁ ସମ୍ପତ୍ତି ବିକ୍ରୟ ଅଭିଯୋଗରେ ପାୱାରଙ୍କୁ ଗିରଫ କରାଯାଇଥିଲା।

ପାୱାର ୩୧ ଡିସେମ୍ବର ୨୦୨୧ ପରଠାରୁ ଜେଲରେ ଥିଲେ ଏବଂ ଚିକିତ୍ସ୍ୟା ଆଧାରରେ ଛଅ ମାସ ପାଇଁ ଅସ୍ଥାୟୀ ଜାମିନ ମାଗିଥିଲେ। ପାୱାର ତାଙ୍କ ଆବେଦନରେ କହିଥିଲେ ଯେ ସେ ଗୁରୁତର ଭାବେ ମଧୁମେହ ରୋଗ ଏବଂ ଅନେକ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ। ଫେବୃଆରୀରେ ତାଙ୍କ ପାଦରେ ଆଘାତ ଲାଗିଥିଲା ଏବଂ ତାଙ୍କୁ ସରକାରୀ ଜେ ଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରୁ ପରେ ତାଙ୍କୁ ଡିସଚାର୍ଜ ମଧ୍ୟ କରାଯାଇଥିଲା। ଆବେଦନରେ କୁହାଯାଇଛି ଯେ ତାଙ୍କ ପାଦର ଏକ ଆଙ୍ଗୁଠିରେ ଗ୍ୟାଙ୍ଗ୍ରିନ ବିକଶିତ ହୋଇଥିଲା ଏବଂ ତାକୁ କାଟି ଦିଆଯାଉଥିଲା।

ଆବେଦନ ଅନୁଯାୟୀ ମାର୍ଚ୍ଚରେ ହାଇକୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ପାୱାରଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏପ୍ରିଲ ୧୯ ତାରିଖରେ ସେ ହାଇକୋର୍ଟଙ୍କ ଜାମିନ ଆବେଦନ ପ୍ରତ୍ୟାହାର କରି ନେଇଥିଲେ। ଆବେଦନପତ୍ରରେ କୁହାଯାଇଛି ଯେ ସେହି ଦିନ ପାୱାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇ ତାଙ୍କୁ ପୁଣି ଜେ ଜେ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କ କ୍ଷତ ସ୍ଥାନ ସେପ୍ଟିକ୍ ହୋଇଗଲା ଏବଂ ଶେଷରେ ତାଙ୍କ ଗୋଡ କାଟିବାକୁ ପଡିଲା।

ଆବେଦନ ଅନୁଯାୟୀ ଅଭିଯୁକ୍ତ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସା ସୁବିଧା ପାଇଁ ଛଅ ମାସ ପାଇଁ ଜାମିନ ମାଗିଥିଲେ। ଅଦାଲତ କହିଛନ୍ତି ଯେ ପାୱାରଙ୍କ ବୟସ, ଗମ୍ଭୀର ଚିକିତ୍ସା ଜଟିଳତା ଏବଂ ଚିକିତ୍ସାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାମୟିକ ଜାମିନ ପାଇଁ ତାଙ୍କ ପ୍ରାର୍ଥନା ସମ୍ପୂର୍ଣ୍ଣ ଭାବେ ମାନବିକତା କାରଣରୁ ବିବେଚନା କରାଯାଇପାରେ।

Leave A Reply

Your email address will not be published.