ଗଞ୍ଜାମ:ପୁଣି ରାଜ୍ୟରେ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମରେ ଏହି ଅମାନବୀୟ ଘଟଣା ଘଟିଛି । ମୃତକ ହେଲେ ଏକାଦଶୀ ନାହାକ । ତେବେ ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
ଅଭିଯୁକ୍ତମାନେ ହେଲେ ଉକ୍ତ ଗ୍ରାମର ଘନ ପ୍ରଧାନ(୪୫) ଏବଂ ତାଙ୍କ ଭାଉଜ ପଙ୍କଜା ପ୍ରଧାନ(୩୨)। ଗତ ୧୨ ତାରିଖ ମଧ୍ୟାହ୍ନରେ ମୃତକ ଏକାଦଶୀ ନାହାକ ନିଜ ପାନ ବରଜକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା।
ସୂଚନା ମୁତାବକ,ଏକାଦଶୀ ନାହାକ ନିଜ ଗ୍ରାମରେ ଗୁଣିଗାରେଡି କରୁଥିଲେ। ବିଭିନ୍ନ ଅଞ୍ଚଳରୁ ଲୋକମାନେ ତାଙ୍କ ନିକଟକୁ ସମସ୍ୟା ନେଇ ଆସୁଥିଲେ । ଅଭିଯୁକ୍ତ ଘନ ପ୍ରଧାନ ଦୀର୍ଘ ୧୦ ବର୍ଷ ଧରି ତାଙ୍କ ସହ ଯୋଗାଯୋଗରେ ଥିଲେ। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ଦିଗରେ ସମାଧାନ ବାଟ ବାହାର କରିବାକୁ ମୃତ ଏକାଦଶୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ କିଛି ବର୍ଷ ମଧ୍ୟରେ ଅଭିଯୁକ୍ତ ନିଜ ସ୍ତ୍ରୀ, ମାଆ ଏବଂ ନାତିଙ୍କୁ ହରାଇଥିଲେ। ଏଥିସହ ତାଙ୍କର ପାଞ୍ଚଟି ଗାଈଙ୍କ ମୃତ୍ୟୁ ହୋଇ ଯାଇଥିଲା। ପରିବାର ଲୋକ ଏବଂ ଗାଇଙ୍କ ମୃତ୍ୟୁ ପାଇଁ ସେ ଏକାଦଶୀଙ୍କ ଗୁଣିଗାରେଡିକୁ ଦାୟୀ କରୁଥିଲେ। ତେବେ ଗତ ୧୨ ତାରିଖରେ ଘନ ଓ ତାଙ୍କ ଭାଉଜ ପଙ୍କଜା ମିଶି ପାନ ବରଜରେ ଏକାଦଶୀଙ୍କୁ ଏକ କାତି ସାହାଯ୍ୟରେ ହତ୍ୟା କରିଥିଲେ ।