Latest Odisha News

ସାମାନ୍ୟ ବଚସାକୁ ନେଇ ହତ୍ୟାକାଣ୍ଡ

ଅନୁଗୁଳ: ସ୍ୱାଧୀନତା ଦିବସରେ ରକ୍ତରେ ଭିଜିଲା ଅନୁଗୁଳ ଜିଲ୍ଲା ସନ୍ତ୍ରୀ ଗାଁ । ଦୁଇ ଜଣ ଟେଲରଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ରହିଛି । ମୃତକ ହେଲେ ମଧୁସୂଦନ ନାୟକ ।

ସୂଚନା ଅନୁସାରେ, ଯାଜପୁର ଅଞ୍ଚଳର ମଧୁସୂଦନ ନାୟକ ନାମକ ଜଣେ ବ୍ୟକ୍ତି ସନ୍ତ୍ରୀ ଗାଁରେ ରହି ଟେଲର ଦୋକାନ କରିଥିଲେ । ତାଙ୍କ ଦୋକାନ ନିକଟରେ ଟୁନା ନାମକ ଜଣେ ବ୍ୟକ୍ତିଙ୍କର ମଧ୍ୟ ଟେଲର ଦୋକାନ ଥିଲା । ତେବେ ଆଜି ଅପରାହ୍ନରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।

ବଚସା ବେଳେ ଉତ୍ତ୍ୟକ୍ତ ହୋଇ ଟୁନା ଏକ କଇଁଚିରେ ହଠାତ ମଧୁସୂଦନଙ୍କୁ ଆକ୍ରମଣ କରିଥିଲେ । କଇଁଚିରେ ସେ ମଧୁସୂଦନଙ୍କ ଛାତି, ପିଠି ଓ ବେକକୁ ବାରମ୍ବାର ଆକ୍ରମଣ କରିଥିଲେ । ଫଳରେ ମଧୁସୂଦନଙ୍କ ଦେହରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତ ସ୍ରାବ ହୋଇଥିଲା ।

ପରେ ସ୍ଥାନୀୟ ଲୋକ ମଧୁସୂଦନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବଅଁରପାଳ ଥାନା ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣକାରୀ ଟୁନାକୁ ମଧ୍ୟ ଥାନାରେ ଅଟକ ରଖାଯାଇଛି ।

Comments are closed.